ପୁରୁଷୋତ୍ତମପୁର,୦୧/୦୬,(ଶୁଭଙ୍କରୀ ଦାଶ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ପରୀକ୍ଷା–୨୦୨୪ରଫଳାଫଳରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମର ସୁଯୋଗ୍ୟା କନ୍ୟା ସୁଶ୍ରୀ ସନ୍ତୋଷୀନୀ ପାତ୍ର ଓଡ଼ିଶା ସ୍ତରରେ ୧୬୭ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି କୃତିତ୍ୱ ପରେ ସମଗ୍ର ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।ସନ୍ତୋଷୀନୀ ପାତ୍ର ନିଜର କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ବଳରେ ଏହି ସଫଳତା ହାସଲ କରିଥିବାରୁ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।ଏହି ଅବସରରେ ଯୁବନେତା ତଥା ସମାଜସେବୀ ଶ୍ରୀ ଚିନୁ ଆଚାରୀ ସନ୍ତୋଷୀଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସେ ସନ୍ତୋଷୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କର ସଫଳତା ଅଞ୍ଚଳର ଅନ୍ୟ ଯୁବକ ଓ ଯୁବତୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରେରିତ କରିବ ବୋଲି ମତ ପ୍ରକାଶ କରିଥିଲେ।ସନ୍ତୋଷୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଜନପ୍ରତିନିଧି ଓ ସାଧାରଣ ଜନତା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଜଣେ ଦକ୍ଷ ପ୍ରଶାସକ ଭାବେ ରାଜ୍ୟ ତଥା ସମାଜର ସେବା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

