ବ୍ରହ୍ମପୁର,୧୩/୫,(ହିମାଂଶୁ ଶେଖର ସାବତ):ବେନ୍ଦାଳିଆ ଗାଁରେ ଘଟିଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ବ୍ରହ୍ମପୁର ସଦର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଘଟଣାରେ ବ୍ୟବହୃତ ୩ଟି ଲୋହା କାତି ଓ ଏକ ହୋଣ୍ଡା ସାଇନ୍ ମୋଟରସାଇକେଲ ଜବତ କରାଯାଇଛି ।ଏନେଇ ବ୍ରହ୍ମପୁର ସଦର ଥାନାରେ କେସ୍ ନମ୍ବର ୨୮୧/୧୨.୦୫.୨୦୨୬ ରେ ବିଏନଏସ୍ ଧାରା ୧୨୬(୨)/୧୧୮(୨)/୧୦୯/୩(୫) ଏବଂ ଆର୍ମ୍ସ ଆକ୍ଟର ଧାରା ୨୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ସାନ ଭାଇ ରଞ୍ଜନ ସେଠୀଙ୍କ ଲିଖିତ ଅଭିଯୋଗ ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିବଶଙ୍କର ସାହୁ ଓରଫ ଭାଲୁ ଏବଂ ତାଙ୍କ ସହଯୋଗୀମାନେ ୧୨ ମଇ ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ପିଙ୍କୁ ସେଠୀଙ୍କୁ ଚୁନା ଭାଟି ଶଙ୍କ ନିକଟରେ ଅଟକାଇଥିଲେ । ସେ ସେତେବେଳେ ବାଇକ୍ରେ କୁକୁଡାଖଣ୍ଡି ଯାଉଥିଲେ । ଅଭିଯୁକ୍ତମାନେ ତାଙ୍କୁ ଲୋହା କାତିରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ପୋଲିସ କହିଛି ।ତଦନ୍ତ ସମୟରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଶିବଶଙ୍କର ସାହୁ ଓରଫ ଭାଲୁ (୨୫), ଶିବରାମ ପ୍ରଧାନ ଓରଫ ରାଜା (୨୦) ଏବଂ ଅଭିନାଶ ରାଉତ ଓରଫ ମିଥୁନ (୨୪) ।ପୋଲିସ ଘଟଣାରେ ବ୍ୟବହୃତ ଓଡି-୦୭-ଏଜେଡ୍-୩୮୦୩ ନମ୍ବର ବିଶିଷ୍ଟ ହୋଣ୍ଡା ଶାଇନ୍ ବାଇକ୍ ଏବଂ ୩ଟି ଲୋହା କାତି ଜବତ କରିଛି । ଗିରଫ ତିନି ଅଭିଯୁକ୍ତଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

