ଭଞ୍ଜନଗର,୧୩।୭(ନିଲୁ ବିଷୋୟୀ):ଭଞ୍ଜନଗର ଥାନା ଅଧିନ ଛେଦାଭୂମୀ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ମୃତକ ଜଣକ ହେଲେ ସେହି ଗ୍ରାମର ଅକ୍ଷୟ ମଳିକ(୩୫)। ରବିବାର ସନ୍ଧ୍ୟା ସମୟରେ ଅକ୍ଷୟର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ସୋମବାର କେସ ନମ୍ବର ୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଆର୍ଥିକ ରଣ ଭାର ଓ ପରିବାରର ଦୁଶ୍ଚିନ୍ତାରେ ସେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଅକ୍ଷୟ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ପରିବାରରେ ଅସୁସ୍ଥ ମାଆ,ପତ୍ନୀ ଓ ତିନି ସନ୍ତାନ ରହିଛନ୍ତି। ତାଙ୍କର ସୀମିତ ରୋଜଗାରରେ ପରିବାରର ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଥିଲା। ସେ କିଛି ରଣ କରିଥିବା ବେଳେ ଆର୍ଥିକ ବୋଝ ସାଙ୍ଗକୁ ରଣ ପରିଶୋଧ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି। ସେ ଶୁକ୍ରବାର ଠାରୁ ଘରୁ ଯାଇଥିବା ବେଳେ ରବିବାର ସନ୍ଧ୍ୟାରେ ଏକ କାଜୁ ତୋଟାରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଆର୍ଥିକ କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।

