କଳାହାଣ୍ଡି,କୋକସରା ,୦୮/୦୫,(ରୁପେନ୍ଦ୍ର ସୁନାନୀ): ରବି ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ଦାବୀରେ ଆଜି ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳର କୃଷକ ସଂଘ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକର ହଜାର ହଜାର ଚାଷୀ ଆଜି କୋକସରା ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରି ଆନ୍ଦୋଳନ କରିଛନ୍ତି। ଚାଷୀ ମାନେ ରାଜ୍ୟ ସରକାରଙ୍କ ଚାଷି ମାରଣା ନୀତି ଉପରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ମେଗାଲିଫ୍ଟ ଦ୍ଵାରା ଉପକୃତ ୧୫ ହଜାର ଚାଷିଙ୍କ ଦୁଃଖ ଦୁର୍ଦ୍ଦଶା ସରକାର କେମିତି ଦେଖି ପାରୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି।ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଙ୍ଗଠନର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ,ଡିଫାଇନ କଳାହାଣ୍ଡି ଅଧ୍ୟକ୍ଷ ମଧୁ ମହାନ୍ତି,ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଜେଡି ନେତା ବଦ୍ରୀ ନାରାୟଣ ପଟ୍ଟନାୟକ,ପୂର୍ବତନ ବିଧାୟକ ଜୁନାଗଡ଼ ଗୋବର୍ଦ୍ଧନ ଦାସ, ଧର୍ମଗଡ ବିଜେଡି ବ୍ଲକ ସଭାପତି ଡାକେଶ୍ୱର ଲହଜଳ,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ବିଜେଡି ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ, ପଞ୍ଚକ ପୋଢ଼, ଯୁବନେତା ତ୍ରିଭୁବନ ନାଏକ,ପଙ୍କଜମୁଖ ଚୌଧୁରୀ, ପ୍ରଶାନ୍ତ ତିୱାରୀ ସମେତ ଅନେକ ଚାଷୀନେତା ମାନେ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ଆଜି ଚାଷିଙ୍କ ହକ ଦେବାରେ ବିଫଳ ହୋଇଛି ଏବଂ ଚାଷୀଙ୍କ ଦାବୀ ପୂରଣ ନ ହେଲେ ଆଗକୁ ଚାଷି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଳି କହିଛନ୍ତି। ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ରହିଥିଲା।ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ କୋକସରା ତହସିଲଦାର ଅମିତ କୁମାର ବେହେରା, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଉପସ୍ଥିତ ଥିବା ବେଳେ କୋକସରା ଥାନା ଅଧିକାରୀ ସୁଜ୍ଞାନ ବାରିକ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବିକ୍ଷୋଭ ସଭା ମଞ୍ଚକୁ ବରିଷ୍ଠ ନେତା ଦିଗାମ୍ବର ଦୁରିଆ ପରିଚାଳନା କରିଥିବା ବେଳେ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ଅଞ୍ଚଳ ର ହଜାର ହଜାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

