ବୁଗୁଡ଼ା,୮/୪:(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଲାବନ୍ଧ ଗ୍ରାମସ୍ଥ ହାଇସ୍କୁଲର ଛାତ୍ରୀଙ୍କ ପ୍ରତି ଅନୁଚିତ ବ୍ୟବହାରକୁ ନେଇ ଶିକ୍ଷକ ରୋହିତ କୁମାର ସେଠୀଙ୍କ ବିରୋଧରେ ଗ୍ରାମବାସୀଙ୍କ ପକ୍ଷରୁ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଗତ ୨ ତାରିଖରୁ ବିଦ୍ୟାଳୟ ଖୋଲାଯାଇଥିଲେ ହେଁ ଗୋଳାବନ୍ଧ ଗ୍ରାମର କେତେକ ଛାତ୍ରୀ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି । ଏହାର କାରଣ ସମ୍ପର୍କେ ଅଭିଭାବକମାନେ ପଚରାଉଚରା କରି ଜାଣିବାକୁ ପାଇଥିଲେ ଯେ ବିଦ୍ୟାଳୟର ଶିକ୍ଷକ ରୋହିତ କୁମାର ସେଠୀ ଛାତ୍ରୀମାନଙ୍କ ପ୍ରତି କୁଆଡେ ଅନୁଚିତ ବ୍ୟବହାର କରୁଛନ୍ତି । ଏ ନେଇ ଅଭିଭାବକ ମହଲରେ ଆଲୋଚନା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଏକ ବୈଠକ ବସିଲା । ଉକ୍ତ ବୈଠକକୁ ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକଙ୍କୁ ଡକାଯାଇ ଏ ପ୍ରସଙ୍ଗରେ ପଚରାଯାଇଥିଲେ ହେଁ ଆଦୌ ଉତ୍ତର ନଦେଇ ସେ ନୀରବ ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ବୈଠକ ସ୍ଥଳରେ ପହଞ୍ଚି ସେଠାରୁ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା ବେଳେ ଗ୍ରାମବାସୀ ଥାନା ପରିସରରେ ରୁଣ୍ଡହୋଇସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିବା ସହ ତାଙ୍କର ବଦଳି ଦାବି କରିଥିଲେ । ତେବେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

