ହିଞ୍ଜିଳିକାଟୁ,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ): ଓଡ଼ିଆରେ ଏକ ପ୍ରଚଳିତ ଢଗ ରହିଛି—‘ବାହା ବେଳେ ବାଇଗଣ ରୁଆ’। ଅର୍ଥାତ୍, ଯେଉଁ କାମ ଆଗୁଆ କରିବା କଥା, ତାହା ଠିକ୍ ଆବଶ୍ୟକତା ସମୟରେ ଆରମ୍ଭ କରିବା। ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟଶୈଳୀକୁ ନେଇ ଏବେ ଏହି ଢଗଟି ବେଶ୍ ପ୍ରାସଙ୍ଗିକ ହୋଇପଡ଼ିଛି। ବାତ୍ୟା ଆଶଙ୍କା ଓ ପ୍ରତିକୂଳ ପାଣିପାଗ ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍ ସଫା କରିବାକୁ ପୌର ପରିଷଦ ପକ୍ଷରୁ ତତ୍ପରତା ଦେଖାଯାଇଛି। ତେବେ ଏହି ତତ୍ପରତା ଯଦି ଆଗରୁ ଦେଖାଯାଇଥାନ୍ତା, ତେବେ ଆଜି ଏଭଳି ସମୟରେ ସଫେଇ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ପ୍ରତିବର୍ଷ ବର୍ଷା ଋତୁରେ ଡ୍ରେନ୍ରେ ପାଣି ଜମିବା, ଜଳ ନିଷ୍କାସନରେ ବାଧା ଉପୁଜିବା ଏବଂ ରାସ୍ତାଘାଟରେ ଜଳବନ୍ଦୀ ସମସ୍ୟା ଦେଖାଦେବା ନେଇ ଲୋକଙ୍କ ଚିନ୍ତା ରହିଥାଏ। ଏଭଳି ସ୍ଥିତିରେ ବର୍ଷା ଆସିବା ପୂର୍ବରୁ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରିବା ପୌର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ହେଲେ ଆବଶ୍ୟକ ସମୟରେ ଏ ଦିଗରେ କେତେ ତତ୍ପରତା ଦେଖାଯାଇଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବର୍ଷା ଓ ବାତ୍ୟାର ଆଶଙ୍କା ଦେଖାଦେବା ପରେ ହିଁ ସଫେଇ କାର୍ଯ୍ୟ ଆରମ୍ଭ ହେବା ପୌର ପରିଷଦର ପୂର୍ବ ପ୍ରସ୍ତୁତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ସହରର ବିଭିନ୍ନ ଚା’ ଖଟିରେ ମଧ୍ୟ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କେହି କେହି ପୌର ପରିଷଦର ଏଭଳି କାର୍ଯ୍ୟକୁ ବିଳମ୍ବିତ ତତ୍ପରତା ବୋଲି କହୁଥିବା ବେଳେ ଆଉ କେତେକ ଏହାକୁ ଯୋଜନାବଦ୍ଧ କାର୍ଯ୍ୟର ଅଭାବ ବୋଲି ମତ ଦେଉଛନ୍ତି। ସେହିପରି କାଉନସିଲରଙ୍କ ଥଇଥାନକୁ ଦୃଷ୍ଟିରେ ରଖି ଏଭଳି କାମ କରାଯାଉଥିବା ନେଇ ମଧ୍ୟ ଆଲୋଚନା ହେଉଥିବା କୁହାଯାଉଛି। ତେବେ ଏହି ଚର୍ଚ୍ଚାର ସତ୍ୟତା ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ସାଧାରଣ ଲୋକଙ୍କ ପ୍ରଶ୍ନ ହେଉଛି—ଡ୍ରେନ୍ ସଫେଇ ଭଳି ନିୟମିତ ଓ ଜରୁରୀ କାର୍ଯ୍ୟ ପାଇଁ ପୌର ପରିଷଦକୁ ବାତ୍ୟା ଆଶଙ୍କାକୁ ଅପେକ୍ଷା କରିବାକୁ ପଡ଼ୁଛି କାହିଁକି? ସହରର ସ୍ୱଚ୍ଛତା, ଜଳ ନିଷ୍କାସନ ଓ ନାଗରିକଙ୍କ ସୁରକ୍ଷା ପାଇଁ ଯଦି ଆଗୁଆ ଯୋଜନା ରହିବ, ତେବେ ଏଭଳି ଶେଷ ମୁହୂର୍ତ୍ତର ତତ୍ପରତାର ଆବଶ୍ୟକତା ପଡ଼ିବ ନାହିଁ। କେବଳ ବାତ୍ୟା କିମ୍ବା ପ୍ରବଳ ବର୍ଷା ସମୟରେ ନୁହେଁ, ବରଂ ବର୍ଷସାରା ନିୟମିତ ଭାବେ ଡ୍ରେନ୍ ସଫେଇ, ଅବରୋଧ ହଟାଇବା ଓ ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରାଯିବା ଆବଶ୍ୟକ। ନଚେତ୍ ବିପଦ ଆସିବା ପରେ ପ୍ରଶାସନର ତତ୍ପରତା ଦେଖାଇବା କେବଳ ଔପଚାରିକତାରେ ସୀମିତ ରହିଯିବାର ଆଶଙ୍କା ରହିଛି। ଏବେ ଦେଖିବାର କଥା, ପୌର ପରିଷଦ ଏହି ଅସନ୍ତୋଷ ଓ ଚର୍ଚ୍ଚାକୁ କେତେ ଗୁରୁତ୍ୱ ଦେଉଛି ଏବଂ ସହରବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କି ପଦକ୍ଷେପ ନେଉଛି। ନଚେତ୍ ‘ବାହା ବେଳେ ବାଇଗଣ ରୁଆ’ ଢଗଟି ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟଶୈଳୀକୁ ନେଇ ଲୋକଙ୍କ ଚର୍ଚ୍ଚାରେ ବାରମ୍ବାର ଫେରିବା ସ୍ୱାଭାବିକ।

