ଭଞ୍ଜନଗର,୫।୧୦(ନିଲୁ ବିଷୋୟୀ):ମଣିଷର ଦୃଢ଼ ଇଛାଶକ୍ତି ଓ ନିରନ୍ତର ପରିଶ୍ରମର ଫଳ କେବେ ବି ବୃଥା ଯାଇନଥାଏ। ଲଗାତାର ଅଭ୍ୟାସ ଯୋଗୁଁ ନିଜ ଜୀବନରେ ସଫଳତା ପାଇଛନ୍ତି ଭଞ୍ଜନଗର ବ୍ଲକ ପିଏମଶ୍ରୀ ନୋଡାଲ ହାଇସ୍କୁଲର ଛାତ୍ରୀ ରୁକ୍ମିଣୀ ବିଷୋୟୀ। ସେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ରାଜ୍ୟ ସ୍ତରୀୟ ଲମ୍ବ ଡିଆଁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୯ ମ ଶ୍ରେଣୀରେ ପଢ଼ୁଥିବା ରୁକ୍ମିଣୀ ଜଣେ ମେଧାବୀ, ଶାନ୍ତ ସରଳ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ସେ ଚଳିତ ବର୍ଷ ବିଦ୍ୟାଳୟରେ ଦୌଡ଼କୁଦ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ୭୦ ତମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ହୃଷୀକେଶ ନାୟକ ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟୁଛି। ଆଗାମୀ ଦିନରେ ମହାରାଷ୍ଟ୍ର ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ରୁକ୍ମିଣୀ ଏବଂ ତାଙ୍କ କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ବେହେରା ଦଳେଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ପୂର୍ବରୁ ମଧ୍ୟ ରୁକ୍ମିଣୀ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମ ଠାରେ ଜାତୀୟସ୍ତରୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ। ଲଗାତାର ନିଜର ଅଧ୍ୟବସାୟ ବଳରେ ଗ୍ରାମାଞ୍ଚଳରୁ ଯାଇ ନିଜକୁ ୨ ଥର ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ କରିଥିବାରୁ ତୃଣମୂଳ ସ୍ତରର ରହିଥିବା ଅନ୍ୟ ଖେଳାଳିଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ବୋଲି ମତ ପ୍ରକାଶ ପାଇଛି।

