ବେଗୁନିଆପଡ଼ା,୧୭।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମର ଉପର ରୋଡର ଅବସ୍ଥା ଏବେ ଚିନ୍ତାଜନକ। ଡାଇକି ଛକଠାରୁ କୁମାରୀପାରି ଯାଇଥିବା ଉପର ରୋଡ୍ର ଦୁଇ ପାର୍ଶ୍ୱରେ ଲତାବୁଦା ଓ ଅନାବନା ଗଛ ମାଡ଼ି ରାସ୍ତା ଉପରକୁ ଆସିଗଲାଣି। ଫଳରେ ଯାତାୟାତରେ ଅସୁବିଧା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ଏଥିସହିତ ଶାଳିଆ ଡ୍ୟାମ୍ ଉପର ରାସ୍ତାର ସୌନ୍ଦର୍ଯ୍ୟ ମଧ୍ଯ ନଷ୍ଟ ହେଉଛି । ନିୟମ ଅନୁଯାୟୀ ବର୍ଷକୁ ତିନିଥର ସଫେଇ ହେବା ନେଇ ଶୁଣିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ଏଯାଏଁ ଥରେ ମଧ୍ୟ ସଫେଇ ହୋଇନଥିବା ଅଭିଯୋଗ ହେଉଛି । ଏନେଇ ଶାଳିଆ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ମହେଶ୍ୱର ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ, ସେ କହିଲେ “ମୁଁ ନୂଆରେ ଯୋଗ ଦେଇଛି ବୁଝି କହିବି” ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯଦି ବର୍ଷକୁ ତିନିଥର ସଫେଇ ପାଇଁ ବ୍ୟବସ୍ଥା ରହିଛି, ତେବେ ଚଳିତ ବର୍ଷ ସଫେଇ କାହିଁକି ହୋଇନାହିଁ ? ରାସ୍ତା ପାର୍ଶ୍ୱ ସଫେଇ ପାଇଁ ଯଦି ଅର୍ଥ ବ୍ୟୟର ବ୍ୟବସ୍ଥା ରହିଛି, ତେବେ ସେହି ଅର୍ଥ କେଉଁ କାମରେ ବ୍ୟୟ ହୋଇଛି ? ସଫେଇ ନହୋଇ ଟଙ୍କା ଖର୍ଚ୍ଚ ହୋଇଛି କି? ଯଦି ଖର୍ଚ୍ଚ ହୋଇଛି, ତେବେ ଟଙ୍କା ଗଲା କୁଆଡ଼େ? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ସହ ଶୀଘ୍ର ରାସ୍ତା ପାର୍ଶ୍ୱ ସଫେଇ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

