ବୁଗୁଡ଼ା,୭/୪ (କୁମୁଦ ଚନ୍ଦ୍ର ବେହେରା):ଏପ୍ରିଲ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି । ନୂତନ ଶିକ୍ଷାବର୍ଷ ପାଇଁ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ଶ୍ରେଣୀର ପୁରୁଣା ବହି ବଦଳି ଯାଇ ନୂଆଁ ବହି ପ୍ରକାଶ ପାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଦୁଃଖର ବିଷୟ କୌଣସି ପିଲା ପାଖରେ ପୁରାସେଟ୍ ନୂଆଁ ବହି ନାହିଁ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ପ୍ରତ୍ୟେକ ଶ୍ରେଣୀ ପାଇଁ ଅଳ୍ପ କେତୋଟି ବିଷୟର ନୂଆଁ ବହି ଆସି ପହଞ୍ଚିବା ପରେ ସେଗୁଡ଼ିକୁ ସିଆରସିସିମାନଙ୍କ ଦ୍ବାରା ନିଜ ନିଜ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲେ ହେଁ ଅନ୍ୟ ବିଷୟର ବହି ଅଭାବରୁ ଠିକ୍ ଭାବରେ ପାଠପଢା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ପୂର୍ବରୁ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦେଉଥିଲା ବେଳେ ଚଳିତ ବର୍ଷରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ବହି ଦେବେ ବୋଲି ଘୋଷଣା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ପିଲାଙ୍କ ନିକଟରେ ସମସ୍ତ ପାଠ୍ୟ ପୁସ୍ତକ ପହଞ୍ଚି ପାରିନାହିଁ । ବିନା ବହିରେ ପିଲା କିପରି ପଢ଼ିବେ ବୋଲି ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି ।

