ବ୍ରହ୍ମପୁର,୧୫/୪:(ହିମାଂଶୁ ଶେଖର ସାବତ):ଦିଗପହଣ୍ଡି ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ଵତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଗତ ଗୁରୁବାର ଦିନ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ବ୍ରହ୍ମପୁର ଏମକେସିଜି ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବି ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ଦେବଶ୍ରୀ ମହାପାତ୍ର, ଡା. ତୁଷାର କାନ୍ତ ରଥ, ଡା. ପି. ହରିପ୍ରସାଦ ପ୍ରମୁଖଙ୍କୁ ନେଇ ଏକ ଡାକ୍ତରୀ ଦଳ ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡା. ସଂଜୀବ ପାତ୍ର ଏବଂ ଟିମ ସାମ୍ବାଦିକ ରଥଙ୍କ ମସ୍ତିଷ୍କରେ ଦୀର୍ଘ ଦିନରୁ ରହିଥିବା ପ୍ରାୟ ୩୦୦ ଗ୍ରାମ ଓଜନର ଏକ ମାଂସ ପିଣ୍ଡୁଳାକୁ ତିନି ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ବାହାର କରିବାରେ ସଫଳ ହୋଇଛନ୍ତି।ଏହି ସଫଳ ଅସ୍ତ୍ରୋପଚାର ପରେ ସାମ୍ବାଦିକ ରଥ ସ୍ନାୟୁ ଶଲ୍ୟ ବିଭାଗର ଡାକ୍ତରୀ ଦଳଙ୍କ ସମେତ ଅସ୍ତ୍ରୋପଚାର ଓ ଚିକିତ୍ସା ଦିଗରେ ସହାୟତା ଯୋଗାଇ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ସହାୟତା ପାଇଁ ଏମ କେ ସି ଜି ମେଡିକାଲ କଲେଜ ପରିଚାଳନା ଅଧିକ୍ଷକ ଡା. ସୁଚିତ୍ରା ଦାସ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କୁ ତାଙ୍କର କୃତଜ୍ଞତା ମଧ୍ୟ ଜଣାଇଛନ୍ତି।ବର୍ତ୍ତମାନ ସାମ୍ବାଦିକ ରଥଙ୍କୁ ଅପରେସନ ପରବର୍ତ୍ତୀ ନୀରିକ୍ଷଣରେ ରଖା ଯାଇଥିବା ବିଭାଗୀୟ ମୁଖ୍ୟ ଡା. ପଣ୍ଡା ପ୍ରକାଶ କରିଥିଲା ବେଳେ ଗଞ୍ଜାମ ଜିଲ୍ଲା ଖେମୁଣ୍ଡି ଓକିଲ ସଂଘ ଏବଂ ଦିଗପହଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଓ ସାମ୍ବାଦିକ ରଥଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

