କଳାହାଣ୍ଡି,୧୬/୫,(ରୁପେନ୍ଦ୍ର ସୁନାନି):ଧର୍ମଗଡ ଉପଖଣ୍ଡ ବାସ୍ତବରେ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ତତ୍ ସହିତ ଜୀବନରେ କରିଥିବା କଠିନ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ। ଯିଏ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସଂଘର୍ଷ କରିଥାଏ ତଥା ଅକ୍ଲାନ୍ତ ପରିଶ୍ରମ କରିଥାଏ, ସେ ହିଁ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଥାଏ। ଏମିତି କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମର ଛାତ୍ରୀ ସୁଶ୍ରୀ ସୁଚରିତା ନାଏକ କଠିନ ପରିଶ୍ରମ କରି ସିବିଏସଇ ଦ୍ଵାଦଶ ବୋର୍ଡ଼ ପରୀକ୍ଷାରେ ୯୦.୦୮ % ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଛାତ୍ରୀ ସୁଚରିତା ନାଏକ ବେହେରା ଗ୍ରାମର ସେବା ସମବାୟ ସମିତି ଲିଃ ସମ୍ପାଦକ ହେମନ୍ତ କୁମାର ନାଏକ (ମୁନା) ଏବଂ ଅଙ୍ଗନୱାଡ଼ି କର୍ମୀ ମଡୁଆ ନାଏକଙ୍କ ସୁନା ଝିଅ ଅଟନ୍ତି। ସୁଶ୍ରୀ ସୁଚରିତା ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ୍ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ।ଏହି ସଫଳତା ପଛରେ ସୁଚରିତା ନିଜ ପିତା, ମାତା, ବଡ ବାପା, ବଡ ମା,ବଡ ଭାଇ, ଭଉଣୀ , ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ରହିଥିବା ପ୍ରକାଶ କରିଛନ୍ତି। ସୁଚରିତା ଏପରି ଏକ ଶିକ୍ଷା ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ପ୍ରତି ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।ଭବିଷ୍ୟତରେ ସୁଚରିତା ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ସ୍ବପ୍ନ ରଖିଥିବା ପ୍ରକାଶ କରିଛନ୍ତି।

