ପୋଲସରା,୨।୮(ସୁଧାଂଶୁ ଶେଖର ସାହୁ):ହଜାର ହଜାର ଚାଷିଙ୍କ ପ୍ରାୟ ୫୦୦ ହେକ୍ଟର ଚାଷ ଜମିକୁ ବର୍ଷତମାମ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ପୂର୍ବ ସରକାର ପ୍ରାୟ ୨୦୦ କୋଟି ୨୩ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ପ୍ରାଣଦେଇପୁର ବ୍ୟାରେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୁଇ ବର୍ଷ ବିତିଥିଲେ ମଧ୍ୟ ଅଟୋମେଟିକ୍ ସଟର ବ୍ୟବସ୍ଥା ଚାଲୁ ହୋଇନଥିବାରୁ ପ୍ରକଳ୍ପର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଫଳରେ ଚାଷୀମାନେ ଆଶା କରିଥିବା ବର୍ଷତମାମ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି।ବର୍ତ୍ତମାନ ବ୍ୟାରେଜର ସଟରକୁ ମାନୁଆଲ୍ ଭାବେ ଟେକି ପାଣି ଛଡ଼ାଯାଉଛି। ଏହା ଦ୍ୱାରା ହାତୀଓଟ, ପ୍ରାଣଦେଇପୁର, ଝିଟିକାବାଡି, ବାଲିଛାଇ, କୁଆନନ୍ଦ, ସମନ୍ତରାପଲ୍ଲୀ ସମେତ ପାଖାପାଖି ୨୦ରୁ ଅଧିକ ଗ୍ରାମର ଚାଷୀ କିଛି ପରିମାଣରେ ଜଳସେଚନ ସୁବିଧା ପାଉଛନ୍ତି। ତେବେ ଏହା କେବଳ ଆଂଶିକ ସୁବିଧା। ପ୍ରକଳ୍ପଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବର୍ଷତମାମ ଧାନ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ସମ୍ଭବ ହେବ ବୋଲି ଚାଷୀମାନେ ଆଶା ରଖିଛନ୍ତି। ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ୧୮ ଡିସେମ୍ବର ୨୦୧୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜଳସମ୍ପଦ ବିଭାଗର କ୍ଷୁଦ୍ର ଜଳସେଚନ ଶାଖା ପକ୍ଷରୁ ନିର୍ମିତ ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା ଅଞ୍ଚଳର ବିସ୍ତୃତ ଚାଷଜମିକୁ ଜଳ ଯୋଗାଇ କୃଷି ଉତ୍ପାଦନ ବୃଦ୍ଧି କରିବା। କିନ୍ତୁ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ସୁଫଳ ମିଳିପାରିନାହିଁ।ଅନ୍ୟପଟେ ବ୍ୟାରେଜ ପରିସରରେ ଦୀର୍ଘଦିନ ଧରି ଅଟୋମେଟିକ୍ ବ୍ୟବସ୍ଥା ଅଚଳ ରହିଥିବାରୁ ଯନ୍ତ୍ରପାତି ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ, ବାରମ୍ବାର ଦାବି ସତ୍ତ୍ୱେ ପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ସନ୍ତୋଷଜନକ ପଦକ୍ଷେପ ନିଆଯାଇନାହିଁ।ଏ ସମ୍ପର୍କରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ମାନୁଆଲ୍ ବ୍ୟବସ୍ଥାରେ ପାଣି ଯୋଗାଣ କରାଯାଉଛି। ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଶେଷ କରି ଏହାକୁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ।ବିଭାଗୀୟ ଯନ୍ତ୍ରୀ ସନୁଜ କୁମାର ଜେନା କହିଛନ୍ତି, ଅଟୋମେଟିକ୍ ସଟର ଚଳାଇବା ପାଇଁ ବିଦ୍ୟୁତୀକରଣ କାମ ଚାଲିଛି। ଟ୍ରାନ୍ସଫର୍ମର ସ୍ଥାପନ ସରିଥିବାବେଳେ ବାଉଣ୍ଡାରି ଓ ଅନ୍ୟାନ୍ୟ କାର୍ଯ୍ୟ ସମାପ୍ତ ହେବା ପରେ ବିଦ୍ୟୁତ ସଂଯୋଗ ଦିଆଯିବ। ଏହାସହ ବ୍ୟାରେଜର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି। ଅପ୍ରୋଚ୍ ରୋଡ୍, ବ୍ରିଜ୍ ଓ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।ଏବେ ଚାଷୀ ଓ ସାଧାରଣ ଲୋକଙ୍କ ପ୍ରଶ୍ନ—କେବେ ଖୋଲିବ ଅଟୋମେଟିକ୍ ସଟର ଗେଟ୍ ଏବଂ କେବେ ପ୍ରାଣଦେଇପୁର ବ୍ୟାରେଜ ତାହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରି ବର୍ଷତମାମ ଜଳସେଚନ ସୁବିଧା ଯୋଗାଇପାରିବ।

