ଭଞ୍ଜନଗର,୫।୧୦(ନିଲୁ ବିଷୋୟୀ):କନ୍ଧମାଳ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ୪୦ କେଜି ଗଞ୍ଜେଇ ସହ ଏକ ଦାମୀ ଥାର୍ ଗାଡ଼ି ଜବତ କରିଛି। ଏହି ଚୋରା ଚାଲାଣରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲାର ମହେନ୍ଦ୍ର ବେହେରା ଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ପହଣ୍ଡା ଏହାର ଆଖପାଖ ଅଞ୍ଚଳ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ଆଇଆଇସି ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପେଟ୍ରୋଲିଂ ଓ ଯାଞ୍ଚ କରିଥିଲେ। ପେଟ୍ରୋଲିଂ ସମୟରେ ପହଣ୍ଡା ଛକ ନିକଟରେ ଏକ ସନ୍ଦେହଜନକ ‘ଥାର୍’ ଗାଡ଼ିକୁ ଦେଖି ଅବକାରୀ ଟିମ୍ ର ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ୪୦ କେଜି ଗଞ୍ଜେଇ ବାହାରିଥିଲା। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ମହେନ୍ଦ୍ର ବେହେରା କୁ ଘଟଣାସ୍ଥଳରୁ କାବୁ କରି ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କାହାକୁ ଯୋଗାଇବା ପାଇଁ ଯାଉଥିଲା,ସେ ନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଓଆଇସି ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

