ବ୍ରହ୍ମପୁର,୨୦।୯(ଜନବାଣୀ ବ୍ୟୁରୋ):ଅଙ୍ଗନବାଡ଼ି କେନ୍ଦ୍ରର ଘର ଭଡ଼ା ବାବଦ ଅର୍ଥ ମଞ୍ଜୁର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗଞ୍ଜାମ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହିଞ୍ଜିଳିକାଟୁ ଆଇସିଡିଏସ୍ ସୁପରଭାଇଜର୍ ବି. ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ (ଜେଆର୍ଏ) ନରସିଂହ ବେହେରା। ସୂଚନା ଅନୁଯାୟୀ, ଜଣେ ଅଙ୍ଗନବାଡ଼ି କର୍ମୀଙ୍କ କେନ୍ଦ୍ର ଗତ ୧୧ ମାସ ଧରି ଭଡ଼ା ଘରେ ଚାଲୁଥିଲା। ଘର ଭଡ଼ା ବାବଦ ଅର୍ଥ ମଞ୍ଜୁର କରି ରିଲିଜ୍ କରିବା ପାଇଁ ସୁପରଭାଇଜର୍ ଓ ଜେଆର୍ଏ ମିଳିତ ଭାବେ ୩୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଟଙ୍କା ନଦେଲେ ଭଡ଼ା ବାବଦ ଅର୍ଥ ରିଲିଜ୍ କରାଯିବ ନାହିଁ ବୋଲି ସେମାନେ କହିଥିବା ଅଭିଯୋଗ ରହିଛି।ଏନେଇ ଅଙ୍ଗନବାଡ଼ି କର୍ମୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ଯୋଜନାବଦ୍ଧ ଭାବେ ଶନିବାର ରାତିରେ ହିଞ୍ଜିଳିକାଟୁ ସିଡିପିଓ କାର୍ଯ୍ୟାଳୟ ପରିସରରେ ଚଢ଼ଉ କରାଯାଇଥିଲା। ଅଭିଯୋଗ କାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏଥସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସନ୍ଦେହ ଥିବାରୁ ସୁପରଭାଇଜର୍ ଉମା ପାତ୍ର ଓ ଜେଆର୍ଏ ନରସିଂହ ବେହେରାଙ୍କ ସମ୍ପତ୍ତି ଓ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୦/୨୦୨୨ ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

