ଭଞ୍ଜନଗର,୨୯।୯(ନିଲୁ ବିଷୋୟୀ):ବନ୍ୟଜନ୍ତୁଙ୍କ ସୁରକ୍ଷା ସମେତ ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ ସମେତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି,ବିଭିନ୍ନ ବିଭାଗ କର୍ମଚାରୀ,ସାମଜିକ କର୍ମୀ ଭଳି ସମସ୍ତଙ୍କ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ। ମିଳିତ ସମନ୍ବୟ ରକ୍ଷା କରାଯାଇ ପାରିଲେ ଜଙ୍ଗଲ ସାଙ୍ଗକୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନିଶ୍ଚିତ ଭାବେ ସମ୍ଭବପର ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମତପ୍ରକାଶ ପାଇଛି। ଲାଲସିଂ ସ୍ଥାୟୀ ନର୍ସରୀ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଆଲୋଚନା ଚକ୍ରରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ ଯୋଗଦେଇ ହାତୀ,ମୟୂର,କୃଷ୍ଣସାର ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନ ଜଙ୍ଗଲର ଘନତ୍ବ ବଢ଼ିଥିବା ବେଳେ ମଣିଷ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି କୁହାଯାଇଛି। ଏଥିରେ ପେନାଲିଷ୍ଟ ଭାବେ ମୟୂର ସୁରକ୍ଷା ସମିତି ସଭାପତି ସମୀର କୁମାର ପ୍ରଧାନ ମୟୂର ମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ଡ.ଉଦୟ କୁମାର ଦାସ କୃଷ୍ଣସାର ମୃଗଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ରହିଥିବା ନିୟମ ପଦକ୍ଷେପ ଆଉ କାର୍ଯ୍ୟକାରିତା ସମ୍ପର୍କରେ କହିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଏବଂ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ,ଆଚରଣ ଓ ସୁରକ୍ଷା ସମ୍ପର୍କିତ ସବିଶେଷ ଆଲୋଚନା କରିଥିଲେ। ଏହାକୁ ଏସିଏଫ୍ ବିମଳ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ଏସିଏଫ୍ ପ୍ରଦୀପ କୁମାର ବେହେରା,ପ୍ରଶାନ୍ତ କୁମାର ସାହୁ,ରେଞ୍ଜର ସରୋଜ କୁମାର ମହାନ୍ତି,ମାନସ କୁମାର ସାହୁ,ପୃଥିରାଜ ପ୍ରଧାନ,ଅନିଲ କୁମାର ପଣ୍ଡା,ଅଞ୍ଜନ କୁମାର ନାୟକଙ୍କ ସମେତ ବିଭିନ୍ନ ଏନଜିଓ କର୍ମକର୍ତ୍ତା,ଛାତ୍ରଛାତ୍ରୀ, ବନ କର୍ମଚାରୀ ଉପସ୍ଥିତ ଥିଲେ।

