ମାଲକାନଗିରି,୧।୧୧(କେଶବ ଚନ୍ଦ୍ର ନାୟକ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ସାମୁଦ୍ରିକ ଝଡ଼/ବାତ୍ୟା ‘ମୁରାସୁ’ କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ‘ଶୂନ୍ୟ ଜୀବନହାନି’ ନୀତିକୁ ଆଧାର କରି ପ୍ରଶାସନିକ ସ୍ତରରେ ବିଭିନ୍ନ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାର ପାହାଡ଼ିଆ, ଭୂସ୍ଖଳନ ଏବଂ ବନ୍ୟାପ୍ରବଣ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରି ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବିଡିଓ, ତହସିଲଦାର, ପିଇଓ, ରାଜସ୍ବ ନିରୀକ୍ଷକ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି, ଯେଉଁଥିରେ ବୃଦ୍ଧ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସ୍ବତନ୍ତ୍ର ପ୍ରାଥମିକତା ଦିଆଯିବ। ଯାତାୟାତ ନିୟନ୍ତ୍ରଣ ପାଇଁ ବିପଜ୍ଜନକ ରାସ୍ତା, ତଳିଆ ପୋଲ ଓ ସଂବେଦନଶୀଳ ସ୍ଥାନଗୁଡ଼ିକରେ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଦ୍ବାରା ଟ୍ରାଫିକ ଡାଇଭର୍ସନ ବ୍ୟବସ୍ଥା କରାଯିବ। ରାସ୍ତା ଓ କୋଠାବାଡ଼ି ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କୁ ସମସ୍ତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ବାତ୍ୟା ଆଶ୍ରୟସ୍ଥଳୀ, ବିପଜ୍ଜନକ ରାସ୍ତା ଓ ରାସ୍ତା ସଫେଇ ସ୍ଥାନଗୁଡ଼ିକରେ ଟାୱାର ଲାଇଟ୍ ଓ ହାଲୋଜେନ ଲାଇଟ୍ ମୁତୟନ କରିବା ସହ ଭୂସ୍କଲନ ପ୍ରବଣ ଅଞ୍ଚଳରେ ରାସ୍ତା ସଫା କରିବା ପାଇଁ ପୂର୍ବରୁ ଜେସିବି ଓ ଏକ୍ସକାଭେଟର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତଦାରଖରେ ନଭେମ୍ବର ୨, ୨୦୨୬ ରୁ ନଭେମ୍ବର ୪, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ବାତ୍ୟା ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ତଦାରଖରେ ସମସ୍ତ ସ୍କୁଲ ଓ ଆଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ, ତେବେ ଏହି ସମସ୍ତ କେନ୍ଦ୍ରକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ଏବଂ ଏହାର ସମସ୍ତ କର୍ମଚାରୀ ଜରୁରୀ ଡ୍ୟୁଟିରେ ଉପସ୍ଥିତ ରହିବେ। ସେହିପରି ପୋଟେରୁ, କାଙ୍ଗରୁକୋଣ୍ଡା ଓ ଅନ୍ୟାନ୍ୟ ତଳିଆ ପୋଲରେ ଜଳସ୍ତର ବୃଦ୍ଧି ପାଇଲେ ଜାତୀୟ ରାଜପଥ ଡିଭିଜନର ନିର୍ବାହୀ ଇଞ୍ଜିନିୟରଙ୍କ ଦ୍ବାରା ଯାତାୟାତ ବନ୍ଦ ପାଇଁ ବାରିକେଡ୍ ଓ ଜରୁରୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲା ବନ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ସତୀଗୁଡ଼ା, ଚିତ୍ରକୋଣ୍ଡା ସମେତ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଜଳକ୍ରୀଡ଼ା, ନୌକାଚାଳନା ଓ ପର୍ଯ୍ୟଟନ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି।ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ , ଏବଂ ମଙ୍ଗଳ ଅଧିକାରୀ ଙ୍କୁ ଦାୟିତ୍ବ ଦିଆଯିବା ସହ ଜରୁରୀକାଳୀନ ବ୍ଲକ-ୱାରୀ ଆମ୍ବୁଲାନ୍ସ ରୁଟ୍ ଚାର୍ଟ ଜାରି କରାଯାଇଛି। ଏସ.ପି, ଡି ଏଫଓ, ସିଡଏମଓ, ବିଡିଓ, ତହସିଲଦାର ଓ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ବରେ ଅଗ୍ନିଶମ, ପୋଲିସ, ବନ ବିଭାଗ, ପାରାମେଡିକାଲ ଓ ମୋବାଇଲ ମେଡିକାଲ ଟିମ୍ ସଜାଗ ରହିବେ। ବାତ୍ୟା ପରେ ହସ୍ପିଟାଲ, ପାନୀୟ ଜଳ ଓ କଣ୍ଟ୍ରୋଲ ରୁମ୍ ପରି ଜରୁରୀ ସେବାକୁ ତୁରନ୍ତ ସ୍ବାଭାବିକ କରିବା ପାଇଁ ଟିପିଏସଓଡିଏଲ ପକ୍ଷରୁ ବିଦ୍ୟୁତ୍ ପୁନରୁଦ୍ଧାର ଟିମ୍ ମୁତୟନ ହେବେ। ରାସ୍ତା ଓ କୋଠାବାଡ଼ି ଏବଂ ଗ୍ରାମ୍ୟ ଉନ୍ନୟନ ଡିଭିଜନ ୧ ଓ ୨ ପୂର୍ବ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ପୋଲ ଓ ରାସ୍ତାର ତୁରନ୍ତ ଯାଞ୍ଚ କରି ଜରୁରୀକାଳୀନ ବିଭାଗ କୁ ରିପୋର୍ଟ ପ୍ରଦାନ କରିବେ।ପ୍ରାଣୀ ସମ୍ପଦ ସୁରକ୍ଷା ପାଇଁ ଗୋଖାଦ୍ୟ, ସୁରକ୍ଷିତ ଆଶ୍ରୟ ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଟିମ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଦ୍ବାରା ମତ୍ସ୍ୟଜୀବୀମାନଙ୍କୁ ଜଳାଶୟ କିମ୍ବା ସମୁଦ୍ରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଡିଓ , ତହସିଲଦାର, ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ଦ୍ବାରା ଚାଷୀମାନଙ୍କୁ ପାଚିଲା ଫସଲ ଓ ପରିବା ଶୀଘ୍ର ଅମଳ କରିବା ପାଇଁ ମାଇକିଂ ମାଧ୍ୟମରେ ସଚେତନ କରାଯାଉଛି। ସମସ୍ତ ଲାଇନ୍ ବିଭାଗ ମୁଖ୍ୟ, ଉପ-ଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନେ ନିଜ ସଦର ମହକୁମାରେ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତିର ତଦାରଖ କରୁଛନ୍ତି।ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC – 06861-231372) ଏବଂ ଟୋଲ୍ ଫ୍ରୀ ହେଲ୍ପଲାଇନ୍ ୧୦୭୭ (1077) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ସମସ୍ତ ସରକାରୀ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶାବଳୀକୁ ଅତ୍ୟନ୍ତ ଜରୁରୀ (MOST URGENT) ମନେକରି ଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

