ଖଜୁରୀପଡ଼ା,୩।୧୧(ମନୋଜ କୁମାର ବେହେରା):ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟା ‘ମୁରାସୁର’ର ପ୍ରଭାବକୁ ଆଖି ଆଗରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଧନଜୀବନର ସୁରକ୍ଷା ପାଇଁ ଖଜୁରୀପଡ଼ା ପଞ୍ଚାୟତ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରେ ରହୁଥିବା କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଡ଼ିଆପଡ଼ା ଆଶ୍ରମ ସ୍କୁଲରେ ଆଶ୍ରୟ ଦିଆଯାଇଥିବା ଦେଖିବାକୁ ମିଳିଛି। ବାତ୍ୟା ସମୟରେ ଲୋକମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ସମସ୍ତେ ସୁରକ୍ଷିତ ରହିପାରିବେ, ସେଥିପାଇଁ ପଞ୍ଚାୟତ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କ ଖାଦ୍ୟପେୟ ଓ ଆବଶ୍ୟକୀୟ ସୁବିଧା ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ସୂଚନା ଅନୁଯାୟୀ, ସକାଳ ସମୟରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ବିପଦ ସମୟରେ ଆଶ୍ରୟ ନେଇଥିବା ପରିବାରଗୁଡ଼ିକ ଯେପରି ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ପ୍ରଶାସନିକ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯତ୍ନବାନ ରହିଛନ୍ତି।ଏହି ସମଗ୍ର ବାତ୍ୟା ମୁକାବିଲା ଓ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କାର୍ଯ୍ୟକ୍ରମ ଖଜୁରୀପଡ଼ା ସରପଞ୍ଚଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଜଣାପଡ଼ିଛି। ଏଥିରେ ଖଜୁରୀପଡ଼ା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ସତ୍ୟନାରାୟଣ ମେହେର, ୱେଲଫେୟାର ଅଫିସର (W.O) ରାଜେଶ ମୁର୍ମୁ, ଖଜୁରୀପଡ଼ା ପଞ୍ଚାୟତର ପି.ଓ., ଏ.ଡି.ଓ., ଗାଡ଼ିଆପଡ଼ା ୱାର୍ଡ ମେମ୍ବର, ଗାଡ଼ିଆପଡ଼ା ଆଶାକର୍ମୀ ଏବଂ ଗାଡ଼ିଆପଡ଼ା ଆଶ୍ରମ ସ୍କୁଲର କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରୁଛନ୍ତି। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା କରିବା ସବୁଠାରୁ ବଡ଼ ଦାୟିତ୍ୱ। ଏହି ଦାୟିତ୍ୱକୁ ଗୁରୁତ୍ୱ ଦେଇ ଖଜୁରୀପଡ଼ା ପଞ୍ଚାୟତ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବା ସହ ଆଶ୍ରୟ ନେଇଥିବା ଲୋକଙ୍କ ଖାଦ୍ୟପେୟ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିପଦ ସମୟରେ ପ୍ରଶାସନ, ପଞ୍ଚାୟତ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ଓ ଆଶ୍ରମ ସ୍କୁଲର କର୍ମଚାରୀଙ୍କ ଏଭଳି ସମନ୍ୱିତ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ସମସ୍ତଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ବାତ୍ୟାର ମୁକାବିଲା କରିବା ସହ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ରଖିବା ହିଁ ଏହି ପ୍ରସ୍ତୁତିର ମୁଖ୍ୟ ଲକ୍ଷ୍ୟ।

