ବ୍ରହ୍ମପୁର:୧୧/୪:(ହିମାଂଶୁ ଶେଖର ସାବତ):ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ ବ୍ରହ୍ମପୁର ସହର ଏବେ ଖାଲଖମା ରାସ୍ତାର ସମସ୍ୟା ଜନଜୀବନକୁ ବିପଦରେ ପକାଇଛି। ବ୍ରହ୍ମପୁରକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ୁଥିବା ମୁଖ୍ୟ ସଡ଼କ ଏବେ ଖାଲଖମା ଅବସ୍ଥାରେ ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।ଏହି ରାସ୍ତା କେବଳ ସହର ଭିତରର ଯାତାୟାତ ପାଇଁ ନୁହେଁ, ବରଂ ଏକ ପ୍ରମୁଖ ଆନ୍ତର୍ଜିଲ୍ଲା ଓ ଆନ୍ତର୍ରାଜ୍ୟ ଯୋଗାଯୋଗ ମାର୍ଗ ଭାବେ ମଧ୍ୟ ପରିଚିତ। ପ୍ରତିଦିନ ଏହି ସଡ଼କ ଦେଇ ଶହ ଶହ ବସ, ଟ୍ରକ, କାର ଓ ଅନ୍ୟାନ୍ୟ ଯାନ ଚଳାଚଳ କରୁଥିବା ବେଳେ ଏହି ରାସ୍ତାଟି ରାଜଧାନୀ ଭୁବନେଶ୍ବର ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସହ ସଂଯୋଗ ହୋଉଛି। ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଅନେକ ଲୋକ ଦୈନନ୍ଦିନ କାମ ପାଇଁ ଏହି ରାସ୍ତାରେ ନିର୍ଭର କରୁଛନ୍ତି।ତଥାପି ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଥିବା ସତ୍ୱେ ଏହାର ରକ୍ଷାପୋଷଣ ନେଇ ପ୍ରଶାସନର ଅବହେଳା ନେଇ ଗଭୀର ପ୍ରଶ୍ନ ଉଠିଛି। ବର୍ଷ ବର୍ଷ ଧରି ଲୋକମାନଙ୍କୁ ଠାରୁ ବିଭିନ୍ନ ଉପାୟରେ ରାଜସ୍ବ ହେଉଥିବା ସତ୍ୱେ ଏହି ରାସ୍ତାର ମରାମତି କାମ ନିୟମିତ ଭାବେ ହେଉନାହିଁ ବୋଲି ଅଭିଯୋଗ ହେଉଛି।ସବୁଠୁ ଚିନ୍ତାଜନକ ଅବସ୍ଥା ଦେଖିବାକୁ ମିଳିଛି ବ୍ରହ୍ମପୁରର ଫାଷ୍ଟ ଗେଟ ନିକଟସ୍ଥ ସ୍ମଶାନ ସମ୍ମୁଖ ରାସ୍ତାରେ। ଏଠାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଦୁଇରୁ ତିନିଟି ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଘଟୁଛି। ଚାଳକମାନେ ଅନ୍ଧାରରେ ଏହି ଖାଲକୁ ଦେଖି ପାରୁନଥିବାରୁ ଗାଡ଼ି ଖସିଯାଉଛି ଓ ଲୋକମାନେ ଆହତ ହେଉଛନ୍ତି। ଆଜି ମଧ୍ୟ ଏହି ସ୍ଥାନରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି।ଏହା ସହ ରାସ୍ତାର ଦୁଇ ପାର୍ଶ୍ୱରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ରାତି ସମୟରେ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ୁଛି। ଅନ୍ଧାରର ସୁଯୋଗ ନେଇ ଚୋରି ଓ ଡକାୟତି ଘଟଣା ବଢ଼ୁଥିବାକୁ ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି, “ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରିବା ମାନେ ଜୀବନକୁ ବିପଦରେ ପକାଇବା ସମାନ। ଆମେ ରାଜସ୍ବ ଦେଉଛୁ, କିନ୍ତୁ ରାସ୍ତା ଉନ୍ନତି ଦେଖିବାକୁ ମିଳୁନାହିଁ।”ଏହି ପରିସ୍ଥିତିରେ ଅଞ୍ଚଳବାସୀମାନେ ପ୍ରଶାସନଙ୍କୁ ତତ୍କାଳ ରାସ୍ତା ମରାମତି, ସ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ସୁଧାରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନହୁଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଅପ୍ରୀତିକର ଘଟଣା ଘଟିବା ସମ୍ଭାବନା ରହିଛି ବୋଲି ସେମାନେ ସତର୍କ କରିଛନ୍ତି।

