ବ୍ରହ୍ମପୁର, ୦୧/୦୬,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାରେ ପୋଲିସ ନିର୍ଯାତନା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ପଥର ଖାଦାନରେ ଘଟିଥିବା ଗଣ୍ଡଗୋଳ ଘଟଣାର ତଦନ୍ତ ନାମରେ ପୋଲିସ ଗତ ମେ ୨୫ ତାରିଖରେ ସୁଶାନ୍ତଙ୍କୁ ଘରୁ ଉଠାଇ ନେଇଥିଲା। ତାଙ୍କୁ ସାତ ଦିନ ଧରି ଥାନାରେ ଅଟକ ରଖି ମାଡ଼ ମାରିବା ସହ ଗୋଡ଼ରେ ଗରମ ପାଣି ଢାଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।ଗତ ୩୧ ତାରିଖରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ପୋଲିସ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା।ମୃତକଙ୍କ ପତ୍ନୀ ଓ ପରିବାର ସଦସ୍ୟମାନେ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ଗୋଡ଼ରେ ପୋଡ଼ା ଚିହ୍ନ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଥିବା ଦାବି କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅଭିଯୋଗକୁ ଗୁରୁତର ସହ ନେଇ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଗଞ୍ଜାମ ଏସ୍ପି ହରିଶ ବିଶି କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସୁଶାନ୍ତଙ୍କୁ କାହିଁକି ସାତ ଦିନ ଧରି ଥାନାରେ ରଖାଯାଇଥିଲା, ସେ ନେଇ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି।ଘଟଣା ସମ୍ପର୍କରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ସମୀର ରାଉତ, ବାଲିଛାଇ ଫାଣ୍ଡି ଅଧିକାରୀ ବୈକୁଣ୍ଠନାଥ ଜେନା ଓ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି। ଜଣେ ହୋମଗାର୍ଡଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।ଏହି ଘଟଣାର ତଦନ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ମାନବାଧିକାର ସୁରକ୍ଷା କୋଷ (HRPC)କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହାକୁ ନେଇ ସୁଶାନ୍ତଙ୍କ ପରିବାର ଓ ସାଧାରଣ ଲୋକ ଅପେକ୍ଷା କରିଛନ୍ତି।

