ବୁଗୁଡ଼ା,୧୪/୦୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଅବସରରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ନୂଆ ପୋଷାକ, ପିଠାପଣା, ଦୋଳି ଖେଳ ଓ ଲୋକଗୀତରେ ମୁଖରିତ ହୋଇଉଠିଛି ପରିବେଶ। ବିଶେଷ କରି “ଲାଲ ଟୁକୁ ଟୁକୁ ସାଧବ ବୋହୁ” ବେଶଭୂଷାରେ ସଜ୍ଜିତ ଯୁବତୀ ଓ ମହିଳାମାନେ ରଜ ମହୋତ୍ସବର ଆକର୍ଷଣ ପାଲଟିଛନ୍ତି।ଏଥିରୁ ବାଦ ପଡିନି ବୁଗୁଡ଼ା ସହର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଓଡ଼ିଶାର ଗଣପର୍ବ ‘ରଜ’ ବେଶ୍ ଧୂମଧାମ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ପହିଲି ରଜ ଅବସରରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଆବାଳବୃଦ୍ଧବନିତା ସମସ୍ତେ ରଜ ମଉଜରେ ମାତିଛନ୍ତି।ଲାଲ ଶାଢ଼ୀ, ଅଳତା, ସିନ୍ଦୂର, ଶଙ୍ଖା ଓ ପାରମ୍ପରିକ ଅଳଙ୍କାରରେ ସଜିଥିବା ଝିଅ ବୋହୁମାନେ ଓଡ଼ିଆ ସଂସ୍କୃତିର ଝଲକ ପ୍ରଦର୍ଶନ କରିଛନ୍ତି। ରଜ ଗୀତ ଓ ଦୋଳି ଖେଳ ମଧ୍ୟରେ ,ଘରେ ଘରେ ବିଭିନ୍ନ ପିଠାର ବାସ୍ନା ମହକୁଛି। ଏହା ସହିତ ରଜ ପାନର ଚାହିଦା ସବୁଠୁ ଅଧିକ ରହିଛି। ବିଭିନ୍ନ ସ୍ୱାଦର ମିଠା ପାନ ତିଆରି କରି ପରସ୍ପରକୁ ବାଣ୍ଟିବା ସହ ବନ୍ଧୁମିଳନର ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି।ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଜାତିର ପରମ୍ପରା, ସଂସ୍କୃତି ଓ ନାରୀ ସମ୍ମାନର ପ୍ରତୀକ। ଆଧୁନିକତାର ଯୁଗରେ ମଧ୍ୟ ଏପରି ପାରମ୍ପରିକ ବେଶଭୂଷା ଓ ଲୋକସଂସ୍କୃତିର ପ୍ରଦର୍ଶନ ନୂଆ ପିଢ଼ୀଙ୍କୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବାରେ ସହାୟକ ହେବ।

