ଭଞ୍ଜନଗର,୧୪/୦୬(ନିଲୁ ବିଷୋୟୀ):ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଥିବା ବେଳେ ଅପରାହ୍ନ ସମୟରେ ହେଉଥିବା ବର୍ଷା ସାମାନ୍ୟ ଅଶ୍ବସ୍ତୀ ପ୍ରଦାନ କରୁଛି। କିନ୍ତୁ ଏହି ସମୟରେ ହେଉଥିବା ବଜ୍ରପାତ ଯୋଗୁ ସାଧାରଣ ଜନଜୀବନରେ ନାହିଁ ନଥିବା କ୍ଷୟକ୍ଷତି ମଧ୍ୟ ଘଟୁଛି। ବଜ୍ରପାତରେ ଅନେକ ଜୀବନ ଯାଉଥିବା ବେଳେ କେତେକ କ୍ଷେତ୍ରରେ ନୀରିହ ପ୍ରାଣୀ ମାନଙ୍କ ମଧ୍ୟ ଜୀବନ ଚାଲି ଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାରସିଂ ଥାନା ଅଧୀନ ବାରଦଣ୍ଡା ଗ୍ରାମରେ। ରବିବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୧୨ଟି ଛେଳିର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି ଜଟିଆ ଗୌଡ଼ ରକ୍ଷା ପାଇଯାଇଛନ୍ତି। ଜଟିଆ ଜଣେ ଗରିବ ଚାଷୀ ହୋଇଥିବା ବେଳେ ହଠାତ୍ ତାଙ୍କର ଏତେବଡ କ୍ଷତିକୁ ନେଇ ସେ ଭାଙ୍ଗି ପଡିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ସକାଳ ସମୟରେ ଖରା ଓ ଗରମ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ବେଳକୁ ପାଗରେ ପରିବର୍ତ୍ତନ ହୋଇଥିଲା।ଏହି ସମୟରେ ବାରଦଣ୍ଡା ଗ୍ରାମର ଚାଷୀ ଜଟିଆ ନିଜର ଛେଳିପଲକୁ ଧରି ଗ୍ରାମ ନିକଟ ଜଙ୍ଗଲ ଆଡକୁ ଚରାଇବାକୁ ନେଇଥିଲେ। ଫଳରେ ହଠାତ ବର୍ଷା ପବନ ଆସିବା ସହ ବଜ୍ରପାତ ଘଟିଥିଲା। ଚେଷ୍ଟା କରି ମଧ୍ୟ ସୁରକ୍ଷିତ ସ୍ଥାନକୁ ସେ ଛେଳି ମାନଙ୍କୁ ନେଇ ପାରିନଥିଲେ। ଫଳରେ ତାଙ୍କର ୧୨ଟି ଛେଳି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।

