ଖୋର୍ଦ୍ଧା,୧୬/୬(ସୁଶାନ୍ତ କୁମାର ପ୍ରଧାନ):ଝାମୁଯାତ୍ରା ଓଡିଶାର ଏକ ପ୍ରମୁଖ ପର୍ବ,କିନ୍ତୁ ସାଧାରଣତଃ ଆମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଖ୍ୟତଃ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ, ଜଟଣୀ ବ୍ଲକ ଓଗାଳପଡା ଗ୍ରାମ ଶ୍ରୀଶ୍ରୀ ମୃଗେଶ୍ୱରଙ୍କ ପୀଠରେ ଦେଖାଯାଏ ଏହାର ବ୍ୟତିକ୍ରମ। ବାବା ମୃଗେଶ୍ୱରଙ୍କ ପୀଠରେ ଦୁଇ ଦିନ ଧରି ପହିଲି ରଜ ଓ ରଜ ସଂକ୍ରାନ୍ତି ଦିନ ପାଳିତ ହୁଏ ଝାମୁଯାତ୍ରା। ପହିଲି ରଜ ଦିନ ବ୍ରତଧାରୀମାନେକୋଇଲେଖା ଓ ବାଲିଭୂଇଁ ଗଛର କଣ୍ଟା ଉପରେ ମେରୁ ଗଡ଼ିଥାନ୍ତି। ଏହା ପରେ ଚଣ୍ଡୀ ମନ୍ଦିର ପୋଖରୀରେ ଗାଧେଇ ପୂଜା କରିବା ପରେ, ମନ୍ଦିରକୁ ଆସି ଦୁଇଟି ଖୁଣ୍ଟରେ ଗୋଡ଼କୁ ବାନ୍ଧି ମୁଣ୍ଡକୁ ତଳକୁ କରି ଝୁଲି ଅଘୋରତାପ କରିଥାନ୍ତି। ବ୍ରତଧାରୀମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ରଜ ସଂକ୍ରାନ୍ତି ରେ ନିଆଁ ଉପରେ ଚାଲିଛନ୍ତି । ଲୋକକଥା ଅନୁସାରେ ବହୁ ବର୍ଷ ପୂର୍ବେ ମନସ୍କାମନା ପୂର୍ଣ୍ଣ ପାଇଁ ଜଣେ ବ୍ୟକ୍ତି ମୃଗେଶ୍ୱରଙ୍କ ମନ୍ଦିରରେ ଗୁହାରିଆ ପଡ଼ିଥିଲେ, ରାତିରେ ତାଙ୍କୁ ସ୍ବପ୍ନ ହୋଇଥିଲା ପହିଲି ରଜ ଓ ରଜ ସଂକ୍ରାନ୍ତି ଦିନ ମନ୍ଦିର ପରିସରରେ ଝାମୁଯାତ୍ରା କରିବା ନିମନ୍ତେ, ସେବେଠାରୁ ମୃଗେଶ୍ୱରଙ୍କ ପୀଠରେ ଝାମୁଯାତ୍ରା ହୋଇଆସୁଛି। ଏହି ଯାତ୍ରା ଦେଖିବାପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ ଜମିଥାଏ।

