ବୁଗୁଡ଼ା,୧୬/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ସହରରେ ଦିନକୁ ଦିନ ମଶାଙ୍କ ଉପାଦ୍ରବ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡ଼ିଛି । ସନ୍ଧ୍ୟା ହେଲେ ଘର ବାହାରେ ରହିବା ତ ଦୂରର କଥା, ଘର ଭିତରେ ମଧ୍ୟ ମଶାଙ୍କ ଦାଉରୁ ମୁକ୍ତି ମିଳୁନାହିଁ । ବିଶେଷକରି ସହର ମଧ୍ୟରେ ପ୍ରବାହିତ ନାଳ, ନର୍ଦ୍ଦମା ଓ ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ମଶାଙ୍କ ବଂଶବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି । ଫଳରେ ମଶାଙ୍କ ସଂଖ୍ୟା ହୁ ହୁ କରି ବଢ଼ିବା ସହ ସହରବାସୀ ନାନା ପ୍ରକାର ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସହରର ବିଭିନ୍ନ ୱାର୍ଡରେ ଥିବା ନାଳ ଓ ନର୍ଦ୍ଦମା ଦୀର୍ଘଦିନ ଧରି ସଫା କରାଯାଇନଥିବାରୁ ସେଥିରେ ଆବର୍ଜନା ଜମି ରହିଛି। ଏହା ସହଅନେକ ସ୍ଥାନରେ ପାଣି ନିଷ୍କାସନବ୍ୟବସ୍ଥା ଠିକ୍ ନଥିବାରୁ ପାଣି ଜମିରହୁଛି, ଯାହା ମଶାଙ୍କ ପ୍ରଜନନକେନ୍ଦ୍ରରେ ପରିଣତ ହୋଇଛି। ଏହାସତ୍ତ୍ୱେ ଏନ୍ଏସି ପକ୍ଷରୁ ପରିସ୍ଥିତିସୁଧାରିବା ନେଇ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଉନଥିବାଅଭିଯୋଗ ହେଉଛି । ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବା ସହ ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ମଶାବାହିତ ରୋଗବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି ।ଏହାକୁ ନେଇ ଅଭିଭାବକମାନେ ବେଶ୍ ଚିନ୍ତିତ ଥିବାବେଳେ ବୃଦ୍ଧ ଓ ଶିଶୁମାନେ ସର୍ବାଧିକ ପ୍ରଭାବିତ ହେଉଥିବା କୁହାଯାଉଛି। ସହରବାସୀଙ୍କ କହିବା ଅନୁସାରେ, ଯଦି ଶୀଘ୍ର ମଶା ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନିଆଯିବ ନାହିଁ, ତେବେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ। ଆଗକୁ ବର୍ଷାଦିନଆସୁଥିବାରୁ ସହରବାସୀ ଏନ୍ଏସିପ୍ରଶାସନ ନିକଟରେ ତୁରନ୍ତ ସହରର ସମସ୍ତ ଅଞ୍ଚଳରେ ନାଳ ଓ ନର୍ଦ୍ଦମା ସଫା କରିବା, ଜମି ରହିଥିବା ପାଣି ନିଷ୍କାସନ କରିବା ସହ ନିୟମିତ ଭାବେ ମଶାମରା ଧୂଆଁ ଓ ଔଷଧ ସ୍ପ୍ରେ କରିବାକୁ ଦାବି କରିଛନ୍ତି। ଏଥ୍ ସହ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରି ଜନସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେମାନେଆହ୍ଵାନ ଜଣାଇଛନ୍ତି। ବର୍ତ୍ତମାନସହରବାସୀଙ୍କ ନଜର ଏନ୍ଏସି ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

