ଖୋର୍ଦ୍ଧା:ଜନବାଣୀ,୧୯/୦୬(କେଦାର ନାଥ ସାହୁ):ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଏବଂ ନିୟନ୍ତ୍ରଣ)ଅଧି ନିୟମ ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ଆଭିମୁଖୀକରଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ, ଖୋର୍ଦ୍ଧା ଶ୍ରୀ ପ୍ରଭାକର ବିଶ୍ୱାଳ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଖୋର୍ଦ୍ଧା, ଶ୍ରୀ ଅଜୟ କୁମାର ପ୍ରଧାନ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର, ରାଜ୍ୟ ସସ୍ବଳ ଅଧିକାରୀ, ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଡ. ଭକ୍ତ ବନ୍ଧୁ ଆଚାର୍ଯ୍ୟ ଏବଂ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଯୋଗ ଦେଇଥିଲେ l ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଆମ ସଂକଳ୍ପ, ଶିଶୁଙ୍କୁ ଶିକ୍ଷାର ଅଧିକାରଦେବା,ଶିଶୁ ଶ୍ରମ ମୁକ୍ତ ସମାଜ ଗଢ଼ିବା ଉପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ୧୪ ବର୍ଷର କମ ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୫ ରୁ ୧୮ ବର୍ଷର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ ଥିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଶ୍ରମ କାର୍ଯ୍ୟାଳୟ, ଥାନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ କିମ୍ବା ଚାଇଲ୍ଡ ହେଲ୍ପ ଲାଇନ ୧୦୯୮, ନିଃଶୁଳ୍କ ଶ୍ରମିକ ସହାୟତା ନମ୍ବର ୧୮୦୦-୩୪୫୬୭-୦୩ ରେ ଯୋଗାଯୋଗ କରିବା ପାଇଁ କୁହାଯାଇଅଛି l ବୈଠକରେ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ଅଧିକାରୀ ମିଳିତ ଉଦ୍ୟମ ଏବଂ ସେବା ମାଧ୍ୟମରେ ଶିଶୁଙ୍କୁ ଶିକ୍ଷାରେ ସାମିଲ କରି ଦେଶର ଭବିଷ୍ୟତ ଉଜ୍ଜ୍ୱଳ କରିବାକୁ ଆହ୍ଵାନ ଦେଇଥିଲେ l ଏହି ଅବସରରେ ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱର,ଶ୍ରୀ କାଳୀପୁତ୍ର କୁଲଦୀପ ପ୍ରସାଦ ଶିଶୁ ଏବଂ କିଶୋର ଶ୍ରମ ଅଧି ନିୟମ ୧୯୮୬ ଉପରେ ସମସ୍ତ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ଙ୍କ ପାଇଁ ବିଭିନ୍ନ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ l ରାଜ୍ୟ ସମ୍ବଳ ଅଧିକାରୀ ଡ. ଭକ୍ତ ବନ୍ଧୁ ଆଚାର୍ଯ୍ୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଭାରେ ଉପସ୍ଥିତ ଅଧିକାରୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାସହ ସରକାରଙ୍କ ଶିଶୁମୁକ୍ତ ଓଡ଼ିଶା ଗଠନ ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ l ଶେଷରେ ସହକାରୀ ଶ୍ରମ ଅଧିକାରୀ, ବାଲୁଗାଁ, ଶ୍ରୀ ସୌମ୍ୟା ରଞ୍ଜନ କର, ଧନ୍ୟବାଦ ପ୍ରଦାନ କରିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ କର୍ମକର୍ତ୍ତା,ଶ୍ରମିକ ନେତା ଯୋଗ ଦେଇଥିଲେ l ପୂର୍ବାହ୍ନରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଆମ୍ବେଦକର ମାର୍ଗ ଦେଇ ପଲ୍ଲା ଛକ ଦେଇ ପୁନଶ୍ଚ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା l ସେହିପରି ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମିତ୍ତ ସଚେତନତା ମୋବାଇଲ ଭ୍ୟାନ କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

