ପାତ୍ରପୁର,ଜନବାଣୀ,୧୯/୬(ଗୌରରାଙ୍ଗ ପ୍ରଧାନ):ଗତ ମଙ୍ଗଳବାର ସନ୍ଧ୍ୟାରେ କେରଳରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଶୁକ୍ରବାର ଗ୍ରାମରେ ଶବ ପହଞ୍ଚିଛି । ସୂଚନା ଥାଉକି ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ଧାନବାଡ ବି ଗ୍ରାମର ଶୁକ୍ରୁ ବଡମୁଣ୍ଡିଙ୍କ ପୁଅ ପ୍ରଫୁଲ୍ଲ ବଡ଼ମୁଣ୍ଡି (୩୭) କିଛି ଦିନ ହେବ କେରଳ ନାଦକ୍କାଭୁ ଥାନା ଅନ୍ତର୍ଗତ କୋଝିକୋଡ ଠାରେ ଏକ କମ୍ପାନୀରେ କାର୍ଯ୍ୟ କରିଥିଲେ । ପ୍ରଫୁଲ୍ଲ ରବିବାର କାମ କରିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିବା ବେଳେ ନିକଟରେ ଥିବା ଶ୍ରମିକ ମାନେ ମେଡିକାଲରେ ଭର୍ତ୍ତି କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଫୁଲ୍ଲଙ୍କ ଶବ ଗ୍ରାମକୁ ଆଣିବା ପାଇଁ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଶୁକ୍ରି ବଡମୁଣ୍ଡି ଓ ତାଙ୍କ ପରିବାର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ପ୍ରଶାସନ ପକ୍ଷରୁ କେରଳରୁ ବିମାନ ମାଧ୍ୟମରେ ଭୁବନେଶ୍ୱର ଓ ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ଗ୍ରାମକୁ ଶବ ଅଣାଯାଇଥିଲା । ଗ୍ରାମକୁ ଶବ ଆଣିବା ପାଇଁ ଚିକିଟି ବିଧାୟକ, ପାତ୍ରପୁର ବିଡିଓ, ତହସିଲଦାର ଓ ଶ୍ରମ ବିଭାଗକୁ ଗଞ୍ଜାମ ଜିଲ୍ଲା ଉନ୍ନୟନ ପରିଷଦର ଉପ ସଭାପତି ଲଳିତା ପ୍ରଧାନ ଧନ୍ୟବାଦ ଦେବା ସହ ପ୍ରଫୁଲ୍ଲ ଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

