ଖଜୁରୀପଡ଼ା:ଜନବାଣୀ,୨୧/୦୬(ମନୋଜ କୁମାର ବେହେରା): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତ ଠାରେ ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ଶୀର୍ଷକ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦୁଇବର୍ଷର ସଫଳ ଶାସନ ଓ ବିକାଶମୂଳକ କାର୍ଯ୍ୟକ୍ରମର ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା।ସମ୍ମିଳନୀରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ, ଜୀବିକା ନିର୍ବାହ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ଓ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ଉନ୍ନୟନମୁଖୀ ପଦକ୍ଷେପ ଯୋଗୁଁ ସାଧାରଣ ଲୋକଙ୍କ ଜୀବନମାନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ସଫଳ ହିତାଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଉନ୍ନୟନର ଏହି ଧାରାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି , ସରପଞ୍ଚ ବ୍ରଜମୋହନ କହଁର, ସମିତି ସଭ୍ୟା ସୁଷମା ନନ୍ଦ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ ଏବଂ ଜୀବିକା ମିଶନ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଟିଟ୍ରାପଙ୍ଗା ପଞ୍ଚାୟତରେ ମଧ୍ୟ ଜନପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଯୁବକ ଓ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଯୋଗଦେଇ ରାଜ୍ୟର ବିକାଶ ଯାତ୍ରା ପ୍ରତି ସମର୍ଥନ ଜଣାଇଥିଲେ।

