ଭଞ୍ଜନଗର:ଜନବାଣୀ,୨୧/୦୬(ନିଲୁ ବିଷୋୟୀ):ଭଞ୍ଜନଗର ତହସିଲ ଅଧୀନ କୁଲାଡ ଜଗନ୍ନାଥ ମନ୍ଦିରର ରଥଯାତ୍ରା ପ୍ରସ୍ତୁତି ନେଇ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଭଞ୍ଜ ରାଜବଂଶ ଶାସନ ସମୟରେ ନିର୍ମାଣ ହୋଇଥିବା ଏହି ଐତିହ୍ୟ ସମ୍ପନ୍ନ ମନ୍ଦିର ବର୍ତ୍ତମାନ ଦେବୋତ୍ତର ବିଭାଗ ଅଧିନରେ ପରିଚାଳିତ ହେଉଛି। ଏଥିନେଇ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ମନ୍ଦିର ପରିଚାଳନା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ରଥଯାତ୍ରାକୁ ଆର୍କଷଣୀୟ କରିବା ପଦକ୍ଷେପ ନିଆଯାଉଛି। ରଥ ନିର୍ମାଣ ସମୟରେ ରଥର ଚକ ଠାରୁ ଆରମ୍ଭ କରି ଅଖ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏକ ଟିମ୍ ରଥର ସ୍ଥିତି ଯାଞ୍ଚ କରାଯାଇଥିବା ବେଳେ ବନ ଉନ୍ନୟନ ସଂସ୍ଥାରୁ କିଭଳି କାଠ ଅଣାଯାଇ ସେନେଇ କାଠ ଚୟନ କରିଥିଲେ। ପ୍ରଶାସନିକ ଟିମ୍ ସମୀକ୍ଷା କରିବା ପରେ ରଥର ଚକ ଗୁଡିକୁ ନୂଆ କରିବା ସହ ଅଖକୁ ବଦଳାଇବା ପାଇଁ କମିଟି ପରାମର୍ଶ ଦେଇଥିଲେ। ଏହାପରେ ବନ ବିଭାଗ ସହଯୋଗରେ ଓଏଫ୍ଡିସିରୁ କିଭଳି ଆବଶ୍ୟକ ପରିମାଣର କାଠ ଅଣାଯାଇ ପାରିବ ଏନେଇ ଆଲୋଚନା ମଧ୍ୟ ହୋଇଥିଲା। ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ ହେବା ପରେ ଗତରାତିରେ ରଥ କାଠ ଖଳାରେ ପହଞ୍ଚିଥିବା ଜଣାପଡିଛି। ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ସମେତ ମନ୍ଦିର ପରିଚାଳନା କମିଟି ଉପସ୍ଥିତ ରହି ତଦାରଖ କରିଥିଲେ। ନୂତନ କାଠ ଆସିବା ପରେ ରଥ ନିର୍ମାଣ ମୁଖ୍ୟ ମହାରଣା ତ୍ରିନାଥ ମହାରଣା ରଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ଜଣାପଡିଛି।

