ପାତ୍ରପୁର:ଜନବାଣୀ,୨୩/୦୬(ଗୌରାଙ୍ଗ ପ୍ରଧାନ):ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଅଧୀନରେ ଥିବା ବୁରୁତାଲ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରର ଅଂଶବିଶେଷ ଦୁଇଟି ଦୁର୍ଗମ ଗାଁ ବାଡୁଆ ଏବଂ ଧୋବାଲିଂରେ ଗତ କିଛି ଦିନ ମଧ୍ୟରେ ଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ପାହାଡିଆ ଅଞ୍ଚଳ ଭୌଗୋଳିକ ଭାବରେ ‘ଉଚ୍ଚ ମ୍ୟାଲେରିଆ ଜୋନ୍’ ହୋଇଥିବାରୁ, ଖବର ପାଇବା ମାତ୍ରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ଉକ୍ତ ଟିମ ରେ ଡାକ୍ତର ଦେବୀ ପ୍ରସାଦ ପଟ୍ଟନାୟକ ଏବଂ ଡାକ୍ତର ତୁଳସୀ ମଲ୍ଲିକ (MO AYUSH), ସଞ୍ଜିତ, ପାତ୍ର, ବିବେକାନନ୍ଦ ଅଧିକାରୀ, ପ୍ରଫୁଲ୍ଲ ପାଢୀ, (ଫାର୍ମାସିଷ୍ଟ), ଦୀପକ ମହାପାତ୍ର (VBDTS), ଉପେନ୍ଦ୍ର ନାୟକ (CHO) ସମସ୍ତ ଯାଇ ଏକ ବ୍ୟାପକ ସାମୁଦାୟିକ ସ୍କ୍ରିନିଂ (Community Screening) ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ଗ୍ରାମବାସୀଙ୍କୁ ସାଧାରଣ ରୋଗର ଚିକିତ୍ସା (Minor Ailment Treatment) ଯୋଗାଇ ଦେବା ସହ ବ୍ୟାପକ ଭାବେ ଆର.ଡି.ଟି (RDT – Rapid Diagnostic Test) କିଟ୍ ଦ୍ଵାରା ରକ୍ତ ପରୀକ୍ଷା କରାଯାଇଥିଲା।ରକ୍ତ ପରୀକ୍ଷା ସମୟରେ ଉଭୟ ଗ୍ରାମରୁ ମୋଟ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପି.ଭି (Plasmodium vivax) ଏବଂ ୯ ଜଣ ପି.ଏଫ୍ (Plasmodium falciparum) ମ୍ୟାଲେରିଆ ପଜିଟିଭ୍ ଥିବା ଜଣାପଡ଼ିଛି। ସ୍ଵାସ୍ଥ୍ୟ ଦଳ ପକ୍ଷରୁ ସମସ୍ତ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ତୁରନ୍ତ ‘ରାଡିକାଲ୍ ଟ୍ରିଟମେଣ୍ଟ’ (Radical Treatment) ର ପ୍ରଥମ ଡୋଜ୍ ଔଷଧ ପ୍ରଦାନ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।ଶିବିରରେ ଲୋକଙ୍କ ଆଚରଣଗତ ପରିବର୍ତ୍ତନ ଏବଂ ସଚେତନତା ପାଇଁ IEC ଏବଂ BCC (Information, Education, and Communication) ମାଧ୍ୟମରେ ମଶାରୀ ବ୍ୟବହାର ଓ ଜମା ଜଳ ନିଷ୍କାସନ ଉପରେ ପରାମର୍ଶ ଦିଆଯାଇଛି। ସ୍ଥିତିକୁ ସମୀକ୍ଷା କରିବା ପାଇଁ ଜିଲ୍ଲା ଏପିଡେମିଓଲୋଜିଷ୍ଟ ଶ୍ରୀ ମୁକେଶ ଚନ୍ଦ୍ର ମାଲି (District Epidemiologist) ଏବଂ ଭେକ୍ଟର ବର୍ଣ୍ଣ ଡିଜିଜ୍ (VBD) କନସଲଟାଣ୍ଟ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଉକ୍ତ ପ୍ରଭାବିତ ଗ୍ରାମ ଗସ୍ତ କରି ସ୍ଵାସ୍ଥ୍ୟ ସେବାର ଅନୁଧ୍ୟାନ କରିଥିଲେ ।

