ଭଞ୍ଜନଗର:ଜନବାଣୀ,୨୩/୦୬(ନିଲୁ ବିଷୋୟୀ):କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର ପୁଲିସ ସୋମବାର ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୧୦୨ କେଜି ଗଞ୍ଜେଇ, ୨୨ ଶହ ଟଙ୍କା ଓ ଗୋଟିଏ ଟୟୋଟୋ ଇନୋଭା କ୍ରିଷ୍ଟା ଗାଡି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜରଡା ଥାନା ଅଞ୍ଚଳର ପିତବାସ ମହାନ୍ତି, ଲକ୍ଷ୍ମଣ ଦାସ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ଧ୍ରୁବଦଳ ମଲ୍ଲିକ। ଏସଂକ୍ରାନ୍ତରେ ଥାନାରେ ୬୧୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମହାନ୍ତି ସୋମବାର ଦୁର୍ଗାପ୍ରସାଦ ରାସ୍ତାରେ ପେଟ୍ରୋଲିଂ ଡ୍ୟୁଟି କରୁଥିଲେ। ଏହି ସମୟରେ କନ୍ଧମାଳ ପଟୁ ଉକ୍ତ ୩ ଅଭିଯୁକ୍ତ ଏକ ଇନୋଭା ଗାଡିରେ ବ୍ରହ୍ମପୁର ଅଭିମୁଖେ ଆସୁଥିଲେ। ନିଧିଆପଲ୍ଲୀ ଛକ ନିକଟରେ ସେମାନେ ପୁଲିସ ଗାଡ଼ି ଦେଖି ପଛକୁ ଫେରିବା ସହ ଗାଡି ବୁଲାଇ ଦ୍ରୁତ ଗତିରେ ପଳାଇ ଯାଉଥିଲେ। ଏହା ଦେଖି ପୁଲିସର ସନ୍ଦେହ ହେବାରୁ ସେହି ଗାଡିକୁ ପିଛା କରିଥିଲେ। ଗାଡିଟିକୁ ପିଛା କରି ଜି.ରମ୍ଭା ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଯାଞ୍ଚ କରିବାରୁ ଗାଡ଼ିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।ଏହାପରେ ଏସ୍ଆଇ ଶ୍ରୀ ମହାନ୍ତି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଲକ୍ଷ୍ମୀଧର ମହାନ୍ତି,ଏଏସ୍ଆଇ ସତ୍ୟନାରାୟଣ ମଲ୍ଲିକ ଉପସ୍ଥିତ ରହିଥିଲେ।

