ଚିକିଟି,୧୧।୭(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଓ ଗଜପତି ଜିଲ୍ଲାର ଜୀବନରେଖା ଭାବେ ପରିଚିତ ପୁଣ୍ୟତୋୟା ବାହୁଦା ନଦୀ ଆଜି ଅସ୍ତିତ୍ୱ ସଙ୍କଟରେ ପହଞ୍ଚିଛି। ଏକଦା ଦୁଇ କୂଳ ଛୁଇଁ ପ୍ରବାହିତ ହେଉଥିବା ଏହି ନଦୀ ଏବେ ବେଆଇନ ବାଲି ଉତ୍ତୋଳନ, ଜଳପ୍ରବାହ ହ୍ରାସ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି। ନଦୀର ଛାତି ଚିରି ଚାଲିଛି ବେଧଡ଼କ ବାଲି ଲୁଟ୍, ଯେତେବେଳେ ପ୍ରଶାସନର ନୀରବତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରୁ ଉତ୍ପତ୍ତି ହୋଇଥିବା ବାହୁଦା ନଦୀ ପାତ୍ରପୁର, ଦିଗପହଣ୍ଡି ଓ ଚିକିଟି ବ୍ଲକ୍ ଦେଇ ପ୍ରବାହିତ ହୋଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ଅଞ୍ଚଳ ଅତିକ୍ରମ କରି ସୁନାପୁର ନିକଟରେ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଉପରେ ହଜାର ହଜାର ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କ ଜୀବିକା ନିର୍ଭରଶୀଳ। କଳିଙ୍ଗଦଳା ଡ୍ୟାମ ନିର୍ମାଣ ପରେ ଏହାର ଜଳ ଦ୍ୱାରା ବିସ୍ତୃତ ଚାଷଜମି ସେଚିତ ହୋଇଆସୁଥିଲା।କିନ୍ତୁ ଗତ କିଛି ବର୍ଷ ଧରି ନଦୀ ପଠାରେ ବେଆଇନ ବାଲି ଉତ୍ତୋଳନ ଚରମ ସୀମାରେ ପହଞ୍ଚିଛି। ଭ୍ରମରପୁରରୁ ବି-ନୂଆଗାଁ ପର୍ଯ୍ୟନ୍ତ ଭ୍ରମରପୁର, ଗୌଡ଼ଗାଁ, ପତରଚୁଡ଼ି, ନୂଆପଡ଼ା, ଡଭାର, ଧାନରାଶି, କଳିଙ୍ଗଦଳା, କେ.ନୂଆଗାଁ ଓ କୃଷ୍ଣପୁର ଅଞ୍ଚଳରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିନଦ୍ୱିପ୍ରହରରେ ଏହି ବେଆଇନ କାରବାର ଚାଲୁଥିଲେ ମଧ୍ୟ ଖଣି, ରାଜସ୍ୱ ଓ ପୁଲିସ ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ ବାଲି ମାଫିଆମାନେ ନଦୀ ସମ୍ପଦକୁ ଲୁଟି ଚାଲିଥିବା ଅଭିଯୋଗ ମଧ୍ୟ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।ଏପଟେ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ, କମ୍ ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନଦୀର ଜଳସ୍ତର ହ୍ରାସ ପାଉଥିବାବେଳେ, ଅନିୟନ୍ତ୍ରିତ ବାଲି ଉତ୍ତୋଳନ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଅନେକ ସ୍ଥାନରେ ନଦୀଗର୍ଭ କାଶତଣ୍ଡି, ଅନାବନା ଗଛଲତା ଓ ଆବର୍ଜନାରେ ଭରିଯାଇଛି, ଯାହା ନଦୀର ସ୍ୱାଭାବିକ ପ୍ରବାହକୁ ବାଧାପ୍ରାପ୍ତ କରୁଛି।ପରିବେଶବିତଙ୍କ ମତରେ, ବେଆଇନ ବାଲି ଉତ୍ତୋଳନ ଉପରେ ତୁରନ୍ତ ରୋକ୍ ନଲାଗିଲେ ଆଗାମୀ ଦିନରେ ଭୂତଳ ଜଳସ୍ତର ହ୍ରାସ, କୃଷି ଉତ୍ପାଦନରେ ପ୍ରଭାବ ଓ ମତ୍ସ୍ୟ ସମ୍ପଦର କ୍ଷତି ଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ।ସ୍ଥାନୀୟ ବାସିନ୍ଦାଙ୍କ ଦାବି, ବେଆଇନ ବାଲି ଉତ୍ତୋଳନକୁ ତୁରନ୍ତ ବନ୍ଦ କରିବା ସହ ନଦୀଗର୍ଭ ସଫେଇ, ବାଲୁକା ଶଯ୍ୟାର ସୁରକ୍ଷା ଓ ନିୟମିତ ତଦାରଖ ପାଇଁ ସରକାର ଓ ପ୍ରଶାସନ ତତ୍ପରତା ଦେଖାଉ। ନଚେତ୍ ବାହୁଦାକୁ ବଞ୍ଚାଇବା ପାଇଁ ବ୍ୟାପକ ଜନଆନ୍ଦୋଳନ ଗଢ଼ିଉଠିବାର ସମ୍ଭାବନା ରହିଛି।ପ୍ରଶ୍ନ ଉଠୁଛି— ପୁଣ୍ୟତୋୟା ବାହୁଦାକୁ ବଞ୍ଚାଇବା ପାଇଁ ପ୍ରଶାସନ କେବେ ଜାଗିବ, ନା ନଦୀ ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯିବା ପରେ?

