ବ୍ରହ୍ମପୁର,୧୩।୭(ହିମାଂଶୁ ଶେଖର ସାବତ):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ରହ୍ମପୁରର ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହର ସଦସ୍ୟମାନଙ୍କୁ ଭଜନ ପରିବେଷଣ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି। ଏହାକୁ ନେଇ ଦଳର ସଦସ୍ୟମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି lବ୍ରହ୍ମପୁର ଅନ୍ଧପସରା ରୋଡ୍ସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ କଳାକାରମାନେ ନିଜର ସୁ ମଧୁର କଣ୍ଠରେ ଜଗନ୍ନାଥ ଭଜନ ଗାଇବା ସହ କ୍ୟାସିଓ, ପ୍ୟାଡ୍, ତବଲା ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ରରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରୁଛନ୍ତି। ଚଳିତବର୍ଷ ସେମାନେ ପୁରୀରେ ୧୦ ଦିନ ଧରି ମହାପ୍ରଭୁଙ୍କ ସମ୍ମୁଖରେ ଭଜନ ଓ ଜଗନ୍ନାଥ ସ୍ତୋତ୍ର ପରିବେଷଣ କରିବେ।ଅନୁଷ୍ଠାନର ମୁଖ୍ୟ ଭବାନୀ ଶଙ୍କର ପାଢୀ କହିଛନ୍ତି, “ଜଗାର ଡୋରି ଲାଗିଛି, ପୁରୀ ଯିବି। ସେଠାରେ ମହାପ୍ରଭୁଙ୍କ ସମ୍ମୁଖରେ ଭଜନ ଗାଇବା ଆମ ପାଇଁ ସୌଭାଗ୍ୟର ବିଷୟ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆମେ ନିୟମିତ ଅଭ୍ୟାସ କରୁଛୁ। ଆମର ଭଜନ ମାଧ୍ୟମରେ ଭକ୍ତମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ ହେବା ସହ ବିଶ୍ୱର ମଙ୍ଗଳ କାମନା କରିବା ହିଁ ଆମର ଉଦ୍ଦେଶ୍ୟ।” ରାଜ୍ୟର ପ୍ରାୟ ୩୦ ଜଣ ଦୃଷ୍ଟିବାଧିତ କଳାକାର ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହଯୋଗରେ ସେମାନଙ୍କ ରହଣି ଓ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା କରାଯାଇଛି।ସୂଚନା ଅନୁଯାୟୀ, ଜୁଲାଇ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପୁରୀର ବଳଗଣ୍ଡି ଛକରେ ଅନୁଷ୍ଠିତ ଭଜନ ସମାରୋହରେ ଦଳ ଅଂଶଗ୍ରହଣ କରିବ। ସେହିପରି ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନାବେଶରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ମାଉସୀ ମା’ ମନ୍ଦିର ଛକରେ ମଧ୍ୟ ଭଜନ ପରିବେଷଣ କରିବାର ସୁଯୋଗ ପାଇବେ।

