ଖୋରଧା,୧୬।୭(କେଦାର ନାଥ ସାହୁ):ଜାଗୁଳି ପାଟଣା ସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ଘୋଷ ଯାତ୍ରା ଅତି ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମାପନ ହୋଇଯାଇଅଛି l ପ୍ରତ୍ୟୁଷ ୪ ଘଟିକା ସମୟରେ ମହାପ୍ରଭୁଙ୍କ ପହଡ଼ ଖୋଲା ହୋଇଥିବା ବେଳେ ପ୍ରାତଃ ୫ ଘଟିକାରେ ମଙ୍ଗଳ ଆଳତି, ପୂର୍ବାହ୍ନ ୧୧ ଘଟିକାରେ ଶଙ୍ଖୁଡ଼ି ଭୋଗ, ମଧ୍ୟାହ୍ନ ୧୨ ଘଟିକାରେ ସୂର୍ଯ୍ୟ ପୂଜା, ଅପରାହ୍ନ ୨ ଘଟିକାରେ ପହଣ୍ଡି ବିଜେ, ଅପରାହ୍ନ ୩ ଘଟିକାରେ ଛେରା ପହଁରା ଏବଂ ଅପରାହ୍ନ ୪ ଘଟିକାରେ ରଥ ଟଣା କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା l ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ, ଖୋରଧା ,ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଏବଂ ମନ୍ଦିର ସେବାୟତ ମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା l ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ମହାପ୍ରଭୁଙ୍କ ଛେରା ପହଁରା କରିଥିଲେ l ତିନିଠାକୁର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବଡ଼ଭାଇ ହଳାୟୁଧ ଏବଂ ମା’ ସୁଭଦ୍ରା ରଥାରୂଢ଼ ହେଲା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା l ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଶ୍ରୀ ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରା ଙ୍କୁ ମାନ୍ୟବର ବିଧାୟକ, ଖୋରଧା,ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା ଦର୍ଶନ କରି ବିଭୁକୃପା ଲାଭକାରୀ ଜିଲ୍ଲାର ଉନ୍ନତି ଏବଂ ଜିଲ୍ଲାବାସୀଙ୍କ ସୁଖ ସମ୍ବୃଦ୍ଧି କାମନା କରି ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ l ସେହିପରି ମାନ୍ୟବର ବିଧାୟକ, ଜଟଣୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ପ୍ରବାହ୍ନରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ଦର୍ଶନ କରି ବିଭିକୃପା ଲାଭ କରିଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ସେବା, ସ୍ଵାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ସେବା, ବିଶୁଦ୍ଧ ପାନୀୟ ଜଳ ସେବା,ଟି ପି ସି ଓ ଡି ଏଲ ପକ୍ଷରୁ ବିଜୁଳି ସେବା, ଅଗ୍ନିଶମ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା l ରଥାରୂଢ଼ ବିଗ୍ରହ ମାନଙ୍କୁ ଭକ୍ତ ଶ୍ରଦ୍ଧାଳୁ ମାନେ ଆନନ୍ଦରେ ଆଇ ଆଇ ସି, ସଦର ଆଦର୍ଶ ଥାନା ଶ୍ରୀ ସଞ୍ଜୟ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳି ମଧ୍ୟରେ ରଥ ମାଉସୀ’ମା ଜାଗେଶ୍ଵରୀ ମନ୍ଦିରରେ ପହଞ୍ଚି ଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ସୂଚନା କେନ୍ଦ୍ର ଖୋଲାଯାଇ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟ ସୂଚୀ ତଥା ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ଶ୍ରୀ ଜଗନ୍ନାଥ ଜଣାଣ ବିକ୍ରୟ କରାଯିବା ସହ ସଫଳ କାହାଣୀ ନିୟୁଜ ବୁଲେଟିନ ପୁସ୍ତିକା “ପ୍ରଗତି ପ୍ରବାହ “ବଣ୍ଟନ କରାଯାଇଥିଲା l ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହଶହ ଭକ୍ତ ଶ୍ରଦ୍ଧାଳୁ, ସହରର ମାନ୍ୟ ଗଣ୍ୟ ବ୍ୟକ୍ତି, ବହୁ ବୁଦ୍ଧିଜୀବୀ,ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ସମେତ ବହୁ ସଂଖ୍ୟାରେ ଜନ ସମାବେଶ ହୋଇଥିଲା l

