ପୋଲସରା,୨।୮(ସୁଧାଂଶୁ ଶେଖର ସାହୁ):ଗଞ୍ଜାମ ଜିଲ୍ଲାରେ ବେଆଇନ ଅସ୍ତ୍ର କାରବାର ଓ ଅପରାଧ ନିୟନ୍ତ୍ରଣକୁ କଡ଼ାକଡ଼ି କରିବା ଲକ୍ଷ୍ୟରେ ଗଞ୍ଜାମ ଏସ୍ପି ହରିଶ ବିଶିଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ବଡ଼ ସଫଳତା ମିଳିଛି। ପୋଲସରା ଥାନା ଅଧୀନ ସୋଡକ ଗ୍ରାମର ଏକ ଘର ଉପରେ ଚଢ଼ାଉ କରି ପୋଲିସ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ ସହ ବେଆଇନ ଅସ୍ତ୍ର ନିର୍ମାଣରେ ବ୍ୟବହୃତ ବିପୁଳ ପରିମାଣର ଯନ୍ତ୍ରପାତି ଓ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପ୍ରତାପ ଭଞ୍ଜ ସାମନ୍ତ (୫୩)ଙ୍କୁ ଗିରଫ କରାଯାଇଛି।୩୧ ଜୁଲାଇ ରାତି ପ୍ରାୟ ୧୦ଟା ୨୦ ମିନିଟ୍ରେ ରାତ୍ର ପାଟ୍ରୋଲିଂ ସମୟରେ ପୋଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା ଯେ ସୋଡକ ଗ୍ରାମ ବଡ଼ସାହିରେ ଥିବା ପ୍ରତାପ ଭଞ୍ଜ ସାମନ୍ତଙ୍କ ଘରେ ବେଆଇନ ଭାବେ ଦେଶୀ ଅଗ୍ନେୟାସ୍ତ୍ର ପ୍ରସ୍ତୁତ କରାଯାଉଛି। ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୋଲିସ ଉକ୍ତ ଘର ଉପରେ ଚଢ଼ାଉ କରି ତଲାସି ଚଳାଇଥିଲା।ତଲାସି ବେଳେ ଦୁଇଟି ଦେଶୀ ଲମ୍ବା ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ, ତିନୋଟି କରତ, ୧୩ଟି ଲୁହା ରଡ଼, ଦୁଇଟି ହ୍ୟାଣ୍ଡ ବ୍ଲୋଅର, ଗୋଟିଏ ଜ୍ୟାକି, ବନ୍ଧୁକ ଆକୃତିର କାଠ ପଟା, ହାତୁଡ଼ି, ନିହଣ, ପ୍ଲାସ, ସ୍କ୍ରୁ ଡ୍ରାଇଭର, ଛୁରୀ, ବାଙ୍ଗଲ୍ସ କଟର ମେସିନ ସମେତ ବନ୍ଧୁକ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ବନ୍ଧୁକ ବଟ୍ ପ୍ରସ୍ତୁତି ସମ୍ବନ୍ଧୀୟ ଏକ ନକ୍ସା ଜବତ କରାଯାଇଥିଲା।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବେଆଇନ ଭାବେ ଦେଶୀ ଅଗ୍ନେୟାସ୍ତ୍ର ପ୍ରସ୍ତୁତ କରି ସଂରକ୍ଷଣ ଓ ବିକ୍ରି କରୁଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ଅସ୍ତ୍ର ଆଇନ–୧୯୫୯ର ଧାରା ୨୫(୧)(ଏ) ଅନୁଯାୟୀ ପୋଲସରା ଥାନାରେ ମାମଲା ରୁଜୁ କରାଯାଇଛି। ଜବତ ସାମଗ୍ରୀର ଉତ୍ସ ଏବଂ ଏହି ବେଆଇନ କାରବାର ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।ଗଞ୍ଜାମ ଏସ୍ପି ହରିଶ ବିଶିଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏବଂ ଏସ୍ଆଇ ମିଳନ ପ୍ରଧାନ ଓ ସଂଗ୍ରାମ ସେଠୀଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା।

