ପୋଲସରା,୨।୮(ସୁଧାଂଶୁ ଶେଖର ସାହୁ):ଖରିଫ ଧାନ ଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପୋଲସରା ଅଞ୍ଚଳରେ ପିଡିଆ ସାରର ଅଭାବ ଓ କଳାବଜାରୀକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତହସିଲଦାର, ବିଡିଓ ଓ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଦରରେ ୪୫ କିଲୋ ୟୁରିଆ ବସ୍ତାର ମୂଲ୍ୟ ୨୬୬.୫୦ ଟଙ୍କା ଥିବାବେଳେ କିଛି ଡିଲର ଓ ଦୋକାନୀ ୬୫୦ରୁ ୭୦୦ ଟଙ୍କାରେ ବିକ୍ରି କରୁଛନ୍ତି। ସୋସାଇଟିରେ ପର୍ଯ୍ୟାପ୍ତ ସାର ନମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ସାର କିଣୁଛନ୍ତି।ମହାସଭା ପକ୍ଷରୁ ସମସ୍ତ ସୋସାଇଟିରେ ପର୍ଯ୍ୟାପ୍ତ ସାର ଯୋଗାଣ ସୁନିଶ୍ଚିତ କରିବା, କଳାବଜାରୀରେ ସଂପୃକ୍ତ ଡିଲର ଓ ଦୋକାନୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ସଂପୃକ୍ତ ଦୋକାନକୁ ସିଲ୍ କରିବାକୁ ଦାବି କରାଯାଇଛି। ଏହି ଅବସରରେ ହୀନ ସ୍ବାଇଁ, ଶିବପ୍ରସାଦ ସାହୁ, ପ୍ରମୋଦ କୁମାର ରଥ, ନାରାୟଣ ପ୍ରଧାନ, ପ୍ରଦୀପ କୁମାର ଦାସ, ଶଙ୍କର ଡାକୁଆ, ଇନ୍ଦ୍ର ସୁବୁଦ୍ଧିଙ୍କ ସମେତ ୩୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ।

