ଚିକିଟି,୨।8(ନିଗମାନନ୍ଦ ପଣ୍ଡା):ରାଜ୍ୟର ଗୋଟିଏ ପଟେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକରେ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଆଷାଢ଼ ଶେଷ ହୋଇ ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ମଧ୍ୟ ପର୍ଯ୍ୟାପ୍ତ ବର୍ଷା ନ ହେବାରୁ ବ୍ଲକର ଅଧିକାଂଶ ଅଞ୍ଚଳରେ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚାଷ ଜମିରେ ହଳ ଲଙ୍ଗଳ ବୁଲିପାରୁ ନାହିଁ ଏବଂ ଧାନ ରୁଆ କାମ ମଧ୍ୟ ଆଗେଇ ପାରୁନାହିଁ।ବର୍ଷା ଅଭାବ ଯୋଗୁଁ ଚିକିଟି ବ୍ଲକର ଅଧିକାଂଶ ନଦୀ, ପୋଖରୀ ଓ ନାଳରେ ପାଣିର ଘୋର ଅଭାବ ଦେଖାଦେଇଛି। ଅନେକ ଜଳାଶୟ ସମ୍ପୂର୍ଣ୍ଣ ଶୁଖିଯାଇଥିବା ବେଳେ ଅବଶିଷ୍ଟ ଜଳାଶୟରେ ଜଳସ୍ତର ମଧ୍ୟ ଦ୍ରୁତ ହ୍ରାସ ପାଉଛି। ଫଳରେ ଜଳସେଚନ ବ୍ୟବସ୍ଥା ପ୍ରଭାବିତ ହୋଇ ଚାଷୀମାନେ ଚାଷକାମ ଆଗକୁ ବଢ଼ାଇ ପାରୁନାହାନ୍ତି। ପାଣି ଅଭାବରେ ଧାନ ତଳି ହଳଦିଆ ପଡ଼ିବା ସହ ଶୁଖିବାକୁ ବସିଛି।କିଛି ଅଞ୍ଚଳରେ ଚାଷୀମାନେ ପୋଖରୀ ଓ ନାଳରେ ଥିବା ଅଳ୍ପ ପାଣିକୁ ମୋଟର ସାହାଯ୍ୟରେ ଜମିକୁ ମଡ଼ାଇ ଧାନ ତଳିକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଏହା ଦ୍ୱାରା ଚାଷ ଖର୍ଚ୍ଚ ବଢ଼ୁଥିବା ବେଳେ ଫସଲ ହେବ କି ନାହିଁ ସେନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଅଣ-ଜଳସେଚିତ ଅଞ୍ଚଳର ଚାଷୀମାନେ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ଅବସ୍ଥା ଅଧିକ ସଙ୍କଟଜନକ ହୋଇପଡ଼ିଛି।ଭାରତୀୟ ପାଣିପାଗ ବିଭାଗ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ପୂର୍ବାନୁମାନ କରିଥିବାରୁ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଛି। ଆଗାମୀ କିଛି ଦିନ ମଧ୍ୟରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ ଚିକିଟି ବ୍ଲକରେ ଖରିଫ ଧାନ ଚାଷ ଓ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

