ବୁଗୁଡ଼ା,୧୪।୮(ଜନବାଣୀ):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ-୨ ଅନ୍ତର୍ଗତ କେନାଲ ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ବର୍ଷ ହେଲା ରାସ୍ତାଟି ମରାମତି ଅଭାବରୁ ଖାଲଢ଼େପ ହୋଇ ରହିଛି। ସେହି ରାସ୍ତା ଦେଇ ବାଇକ୍, ଅଟୋ ଆଦି ସାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି। ବର୍ଷା ହେଲେ ସେହି ଖାଲଖମାରେ ଅନେକ ଦିନ ପର୍ଯ୍ୟନ୍ତ ପାଣି ଜମିରହୁଥିବାରୁ ଦୁର୍ଗନ୍ଧ ସହ ଲୋକଙ୍କ ଯାତାଯାତରେ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ସାହିବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ୟ ନା ଜନପ୍ରତିନିଧି ନା ପ୍ରଶାସନିକ ଅଧିକାରୀ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି। ଅନ୍ୟପକ୍ଷରେ ବୁଗୁଡ଼ା ଏନ୍ଏସିର ଅନେକ ସ୍ଥାନରେ ଭଲଥିବା କଂକ୍ରିଟ ରାସ୍ତା ଉପରେ ଅନାବଶ୍ୟକ ଭାବରେ ପେଭର ବିଛାଯାଉଥିବା ଦେଖିବାକୁ ମିଳୁଛି। ତେବେ କେଉଁ କାରଣରୁ ଏନ୍ଏସି ପ୍ରଶାସନ କେନାଲ ସାହି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ, ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

