ପୋଲିସଗଞ୍ଜାମ/ବୁଗୁଡ଼ା,୧୫।୮(ଡ.କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ସହରକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ବେଳେ ପୋଲିସ ବୁଧବାର ରାତିରେ ୨ ଜଣଙ୍କୁ ଧରିଛି। ସେମାନଙ୍କଠାରୁ ୨ଟି ବନ୍ଧୁକ ଜବତ ହୋଇଛି। ସେମାନଙ୍କୁ ଗିରଫ କରି ପଚରାଉଚରା ପରେ ପୋଲିସ ସିଆଳିମାଳ ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି। ସେଠାରୁ ପୋଲିସ ବନ୍ଧୁକ ତିଆରି ବହୁ ସରଞ୍ଜାମ ଜବତ କରିଛି। ଗିରଫ ୨ଜଣ ଗାଙ୍ଗପୁର ଥାନା ଅନ୍ତର୍ଗତ ଜଡ଼ାପଲ୍ଲୀ ଗ୍ରାମର ସୁବାସ ଗମାଙ୍ଗ (୩୫) ଓ ବିନ୍ଦୁ ଦଳବେହେରା (୫୦) ବୋଲି ଏକ ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଡ. ଦୀପକ ମିଶ୍ର କହିଛନ୍ତି।ବୁଧବାର ରାତିରେ ବାଲିପଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦେଶୀ ବନ୍ଧୁକ ନେଇ ଆସିଥିବା ଏବଂ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଖବର ପାଇଥିଲା । ବାଲିପଦର ଫାଣ୍ଡି ଅଧିକାରୀ କେ.ନୀଳାଦ୍ରି ରେଡ୍ଡୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେମାନଙ୍କୁ ଅନୁସରଣ କରି ଝୋଲାରି ଓ ପାଙ୍ଗିତି ମଧ୍ୟରେ ଉଭୟଙ୍କୁ ଗିରଫ କରି ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲା । ପଚରାଉଚରାରୁ ସେମାନେ ବନ୍ଧୁକ ତିଆରି କରୁଥିବା ଜଣାପଡିଥିଲା। ସେମାନଙ୍କ କହିବା ମୁତାବକ ପୋଲିସ ଗାଙ୍ଗପୁର ଓ ସୋରଡ଼ା ମଧ୍ୟରେ ଥିବା ସିଆଳିମାଳ ଘଞ୍ଚ ଜଙ୍ଗଲରେ ଥିବା ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ କରିଥିଲା। ଏ ନେଇ ପୋଲିସ ନଂ. ୩୮୧/୨୨ରେ ଏକ ମାମଲା ରୁଜୁ କରି ସୁବାସ ଓ ବିଦୁଙ୍କୁ କୋର୍ଟ ଚାଲାଣ କରିଛି। ଖବରଦାତା ସମ୍ମିଳନୀରେ ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଏସ୍ଆଇ ଅଜୟ ମଲ୍ଲିକ ଓ ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ୍ଡୀ ଉପସ୍ଥିତ ଥିଲେ।

