ବୁଗୁଡ଼ା,୧୫।୦୮ (ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଉତ୍ସାହ, ଉଦ୍ଦୀପନା ଓ ଦେଶପ୍ରେମର ପରିବେଶ ମଧ୍ୟରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋପାଳ କୃଷ୍ଣ ମହାରଣା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିତାମ୍ବର ରାଉତ, ପ୍ରସନ୍ନ କୁମାର ପୋଲାଇ, ଜୟଦେବ ରାଉତ ଓ ସୀମାଞ୍ଚଳ ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼ ଦେଶର ସ୍ୱାଧୀନତା ସଂଗ୍ରାମ ଓ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସର ଏହି ଅବସରକୁ ଆହୁରି ସ୍ମରଣୀୟ କରିଥିଲା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କ ସମ୍ମାନ। ଚଳିତ ବର୍ଷ ବିଦ୍ୟାଳୟରେ ଟପର ହୋଇଥିବା ବିଜ୍ଞାନ ବିଭାଗର ଛାତ୍ର କଳ୍ପେଶ୍ୱର ମିଶ୍ର ଓ କଳା ବିଭାଗର ଛାତ୍ରୀ ଦୀପିକା ଗୌଡ଼ଙ୍କୁ ଅତିଥିମାନଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଦୁଇ କୃତୀ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟ ପରିବାର ଗର୍ବିତ ହେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଶୃଙ୍ଖଳା ଓ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

