ବୁଗୁଡ଼ା,୧୭।୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ,ଶିଶୁମାନଙ୍କ ସୁସ୍ଥ ବିକାଶ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଇ ସିଡ଼ିପିଓ ବବିତା କୁମାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଷଣ ଭି, ପଢାଇ ଭି କାର୍ଯ୍ୟକ୍ରମର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଏନଏସି କଲ୍ୟାଣୀ ମଣ୍ଡପରେ ତିନି ଦିନ ବ୍ୟାପୀ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଅଙ୍ଗନାୱାଡି କର୍ମୀ ଏହି ତାଲିମ ଶିବିରରେ ଯୋଗଦେଇ ତାଲିମ ଗ୍ରହଣ କରିଥିଲା। ଏହି ତାଲିମ ଶିବିରରେ ସିଡ଼ିପିଓ, ତିନିଜଣ ସୂପରଭାଇଜର ଓ ପ୍ରକଳ୍ପ ଅଧିକାରୀ ଅଙ୍ଗନାୱାଡ଼ି କର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କିପରି ଶିଶୁମାନଙ୍କ ସର୍ବାଙ୍ଗିନ ଉନ୍ନତି ହୋଇ ପାରିବ ସେହି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ପୋଷଣ ଓ ଶିକ୍ଷାର ସମନ୍ୱୟ ସ୍ଥାପନ କରି ସେମାନଙ୍କ ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି !

