ଫୁଲବାଣୀ,୨୪।୦୮(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଦୁତିପଡ଼ା ପଂଚାୟତର ଜାମୁଝୋରୀ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଶେଷ କରି ସରକାରୀ ଯୋଜନା ଗ୍ରାମବାସୀଙ୍କ ସୁବିଧା ପାଇଁ ହୋଇଥାଏ, କିନ୍ତୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ଗ୍ରାମପଂଚାୟତର ଜାମୁଝୋରୀ ଗ୍ରାମରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି।ଗ୍ରାମରେ ଥିବା ଘୋଡ଼ାବନ୍ଧ କାର୍ଯ୍ୟ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ବ୍ୟ ବରାଦ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ କାର୍ଯ୍ୟ ହୋଇନାହିଁ। ଟଙ୍କା ଖର୍ଚ୍ଚ ହୋଇଛି ବୋଲି କାଗଜପତ୍ରରେ ଦେଖାଯାଉଥିବା ବେଳେ ବାସ୍ତବରେ ବନ୍ଧ ଅବସ୍ଥା ପୂର୍ବ ପରି ରହିଛି। ଏଥିଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।୮୦ଟି ପରିବାର ହେଲେ ନିର୍ଭରଶୀଳ ଅଛନ୍ତି l ଏହି ଘୋଡ଼ାବନ୍ଧ ଉପରେ ପ୍ରାୟ ୮୦ଟି ପରିବାର ନିର୍ଭର କରନ୍ତି। ଗାଧୋଇବା, ପଶୁ ପାଳନ ସମେତ ବନ୍ଧର ନିଷ୍କାସିତ ଜଳ ଦଶ ହେକ୍ଟର ଚାଷ ଜମିକୁ ଜଳସେଚନ କରିଥାଏ। କିନ୍ତୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ବର୍ତମାନ ସେହି 10 ହେକ୍ଟର ଜମି ମରୁଭୂମି ପାଲଟିଛି। ଚାଷ ହୋଇପାରୁ ନଥିବାରୁ କୃଷକ ମାନେ ଆର୍ଥିକ କ୍ଷତି ସହୁଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟ ଆରମ୍ଭ ହୋଇ ଦୁଇ ବର୍ଷ ହୋଇସାରିଲାଣି। ଠିକାଦାର ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଟଙ୍କା ହଡପ ହୋଇଛି। ବାବୁମାନଙ୍କ ପକେଟ ଗରମ ହୋଇଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। କୌଣସି ଅଧିକାରୀ ଏହାକୁ ତଦାରଖ କରୁନାହାନ୍ତି।ଜଣେ ଗ୍ରାମବାସୀ କହିଲେ, “ସରକାର ଟଙ୍କା ଦେଇଛନ୍ତି, କିନ୍ତୁ ଆମକୁ କିଛି ମିଳିନାହିଁ। ବନ୍ଧ ଭାଙ୍ଗିରୁଜି ପଡିଛି, ଜଳ ଅଟକୁ ନାହିଁ। ଆମ ପିଲାଙ୍କ ଭବିଷ୍ୟତ କ’ଣ ହେବ?”ତୁରନ୍ତ ତଦନ୍ତ ଦାବି ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନ ତୁରନ୍ତ ତଦନ୍ତ କରି ଦୋଷୀ ଠିକାଦାର ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବନ୍ଧ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି।ଖବର ପ୍ରସାରଣ ପରେ ପ୍ରଶାସନ କ’ଣ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା।

