ବେଗୁନିଆପଡା,୧୩।୯(ବାପୁନି ମାଲୁ):ଗାଁକୁ ଭଲ ରାସ୍ତା ଯୋଗାଇବା ପାଇଁ ଯୋଜନା ହେଲା, ଭିତ୍ତିପ୍ରସ୍ତର ପଡ଼ିଲା, କାମ ମଧ୍ୟ ଆରମ୍ଭ ହେଲା। ହେଲେ ଏବେ ଅଧାରେ ଅଟକିଛି ରାସ୍ତା ନିର୍ମାଣ। ଦୀର୍ଘଦିନ ଧରି ଅଙ୍ଗାରଗାଁଠାରୁ ଗିଲିଣ୍ଡା ପର୍ଯ୍ୟନ୍ତ ରାସ୍ତା କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉନ୍ନତିକରଣ ପାଇଁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ଏତେ ଦିନ ପରେ ମଧ୍ୟ କାହିଁକି ଅଧାରେ ଅଟକିଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଅଙ୍ଗାରଗାଁ ତୋଟାସାହି ଲୋକଙ୍କ ପାଇଁ ଏହି ରାସ୍ତା ଯାତାୟାତର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ଅଧାପନ୍ତରିଆ କାମ ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନ୍ୟପଟେ ନିର୍ମାଣ ହୋଇଥିବା ଅଂଶର ମାନ ଓ ଗୁଣବତ୍ତାକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରିକି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ପ୍ରଶ୍ନ ଉଠୁଛି, ଯୋଜନା ହେଲା, କାମ ଆରମ୍ଭ ହେଲା, ତାହାହେଲେ ରାସ୍ତା ଅଧାରେ କାହିଁକି? କେବେ ସରିବ ଏହି ଅଧାପନ୍ତରିଆ ରାସ୍ତା? ନିର୍ମାଣର ମାନ ନେଇ ଉଠିଥିବା ପ୍ରଶ୍ନର ହେବ କି ଯାଞ୍ଚ? ଏବେ ଏହା ଉପରେ ଅଞ୍ଚଳବାସୀଙ୍କ ନଜର।

