ଫୁଲବାଣୀ -୪/୦୫।( ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ.ଏ .ସି ଅଞ୍ଚଳର ଜଣେ ଜଣାଶୁଣା, ଅତ୍ୟନ୍ତ ଧର୍ମ ପରାୟଣ, ଅମାୟିକ ତଥା ମିଷ୍ଟଭାଷୀ,ପରୋପକାରୀ ବ୍ୟକ୍ତି ଭାବେ ଜଣା ଶୁଣା ସୁଭାଷ ଚନ୍ଦ୍ର ପାତ୍ରଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଗତ ମଇ ମାସ ୨ ତାରିଖ ରାତିରେ ସମସ୍ତ ପରିବାରବର୍ଗଙ୍କ ଉପସ୍ଥିତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତଃ ପାତ୍ର ଜଣେ ଅବସରପ୍ରାପ୍ତ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ମିଲିଟାରୀ ପୋଲିସ୍ (OMP) ରେ ମଧ୍ୟ ନିଜର ଦକ୍ଷତାର ସହ ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ସେ ୧୯୬୨ ମସିହାରେ ହୋଇଥିବା ଐତିହାସିକ ଭାରତ-ଚୀନ ଯୁଦ୍ଧରେ ଲଢ଼ିବା ପାଇଁ ମନୋନୀତ ହୋଇ ଥିଲେ। ସେହି ସମୟରେ ତାଙ୍କୁ ନେଫା (NEFA) ସୀମାନ୍ତରେ ମୁତୟନ କରାଯାଇଥିଲା। ନେଫା ସୀମାନ୍ତରେ ନିଜର ଦୀର୍ଘ ବର୍ଷର ସେବା କାଳ ମଧ୍ୟରେ ସେ ଭାରତୀୟ ସୈନ୍ୟମାନଙ୍କୁ ଗରିଲା ଯୁଦ୍ଧ କୌଶଳ (Guerrilla Warfare Tactics) ର ଉଚ୍ଚକୋଟୀର ତାଲିମ ପ୍ରଦାନ କରୁଥିଲେ ସେ। ଜଣେ ସଚ୍ଚୋଟ ଦକ୍ଷ ଅଫିସର, ନିଷ୍ଠାପର ଦେଶପ୍ରେମୀ ଏବଂ ଏକ ସ୍ନେହୀ ମଣିଷ ଭାବରେ ବାଲିଗୁଡ଼ା ଅଞ୍ଚଳ ରେ ତାଙ୍କର ବେଶ୍ ସୁନାମ ରହିଥିଲା।ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଦୀର୍ଘ ବର୍ଷ ଧରି ମଧୁମେହ (ଡାଇବେଟିସ୍) ରୋଗରେ ପୀଡ଼ିତ ଥିଲେ। ଗତ ୨୦୧୭ ମସିହାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା। ତେବେ ଗତ ଦୁଇ ଦିନ ଧରି ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ୨ ତାରିଖ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।ମଇ ୩ ତାରିଖ ସକାଳେ ବାଲିଗୁଡ଼ା ସ୍ଥିତ ସୁନାପାଙ୍ଗା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅନ୍ତିମ ସଂସ୍କାରରେ ତାଙ୍କର ପରିବାରବର୍ଗ, ବନ୍ଧୁପରିଜନ ଓ ଆତ୍ମୀୟସ୍ୱଜନଙ୍କ ସମେତ ୨୦୦ ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ସ୍ବର୍ଗତ ପାତ୍ରଙ୍କ ପରି ଜଣେ ମହାନ ଆତ୍ମାଙ୍କର ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ବାଲିଗୁଡ଼ା ଅଞ୍ଚଳ ତଥା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

