ଚିକିଟି,୨୮।୧୦(ନିଗମାନନ୍ଦ ପଣ୍ଡା):ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବରେ ଚିକିଟି ଅଞ୍ଚଳରେ ପ୍ରବଳ ପବନ ଓ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଓ ତାର ପ୍ରଭାବିତ ହେବାରୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।ବାତ୍ୟାର ପ୍ରଭାବରେ ଚାଷଜମିରେ ଫସଲ ନଷ୍ଟ ହେବାରୁ ଚାଷୀମାନେ ଗଭୀର ଚିନ୍ତା ଓ ନିରାଶାରେ ରହିଛନ୍ତି। ଅନେକ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତାରୁ ଗଛ ହଟାଇ ଯାତାୟାତ ସ୍ୱାଭାବିକ କରିବା, ବିଦ୍ୟୁତ୍ ସେବା ପୁନଃସ୍ଥାପନ କରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଜରୁରୀ ହୋଇପଡ଼ିଛି।ଏଥିସହ କ୍ଷତିଗ୍ରସ୍ତ ଚାଷଜମି ଓ ଘରଦ୍ୱାରର ତୁରନ୍ତ ସର୍ଭେ କରି ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କୁ ସରକାରୀ ସହାୟତା ଏବଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।

