ଶବ ରଖି ୫ ଘଣ୍ଟା ରାସ୍ତାରୋକ, ୨ ଗିରଫ
ପୋଲସରା,୨୮/୪,(ଶିବ ପ୍ରସାଦ ସାହୁ):ବାଲିଘାଇରେ ବରଯାତ୍ରୀ ପଟୁଆରରେ ଡିଜେ ଗାଡ଼ିକୁ କେନ୍ଦ୍ର କରି ପିଟିବା ପରେ ବରର ସାନ ଭାଇ ଆକାଶ ଜେନାଙ୍କୁ ହତ୍ୟା ଘଟଣାରେ ସୋମବାର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୋଲସରା ଥାନା ରାଣୀପଡ଼ାର ମିଥୁନ ଜେନା (୨୭) ଓ ବାଲିଛାଇର ଜଣେ ୧୭ ବର୍ଷୀୟ ନାବାଳକ ବୋଲି କହିଛନ୍ତି ପୋଲସରା ଥାନାଧିକାରୀ କୌଶିକ ମାଝୀ। ସେପଟେ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ରବିବାର ରାତିରେ ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ଫରେଷ୍ଟ କଲୋନୀ ଛକ ନିକଟ ମୁଖ୍ୟ ସଡ଼କକୁ ସନ୍ଧ୍ୟା ୮ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଅବରୋଧ କରିଥିଲେ। ରାସ୍ତା ଉପରେ ଶବ ରଖି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ତହସିଲଦାର ଦିପ୍ତିମୟୀ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ ନାୟକଙ୍କ ସମେତ ପୋଲସରା, କୋଦଳା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବୁଗୁଡ଼ା ଓ ପୁରୁଷୋତ୍ତମପୁର ଥାନାଧିକାରୀ ପୁଲିସ ଫୋର୍ସ ସହ ସ୍ଥିତି ନିୟନ୍ତ୍ରଣରେ ଜୁଟି ଯାଇଥିଲେ। ପୋଲସରାର ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଲୋକଙ୍କୁ ବୁଝାସୁଝା କରି ୫ ଘଣ୍ଟା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୁଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କୁ ୩ ଦିନ ସମୟ ମାଗିଥିଲା। ରେଡକ୍ରସ୍ ପାଣ୍ଠିରୁ ୫୦ ହଜାର ଓ ପ୍ରଶାସନ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ରାଶି ମୃତକଙ୍କ ପରିବାରକୁ ଦିଆଯାଇଥିଲା। ପରେ ନିକଟସ୍ଥ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।

