ବୋଲଗଡ଼,୧୭।୧୦(ସୁଶାନ୍ତ କୁମାର ପ୍ରଧାନ):ଉତ୍କଳୀୟ ପରମ୍ପରା ରେ ଗର୍ଭଣା ସଂକ୍ରାନ୍ତିର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ରଜ ଓ ମକର ପରି ଏହା ମଧ୍ୟ ଏକ କୃଷିଭିତ୍ତିକ ପର୍ବ। ତୁଳା ମାସର ଏହି ପବିତ୍ର ସଂକ୍ରାନ୍ତିରେ ଧରା ହୁଏ ଗର୍ଭିଣୀ।ଶାସ୍ତ୍ର କୁହେ, ଗର୍ଭ ଅର୍ଥ ଭୃଣ। ଏହି ସମୟରେ ଧାନ ଗଛ ଗର୍ଭ ଧାରଣ କରେ। ତା’ ଗର୍ଭରୁ କେଣ୍ଡା ଫୁଟି ଧରାକୁ ସୁନା କରେ। ତେଣୁ ଚାଷୀ ନିଷ୍ଠାରେ ବିଲକୁ ଯାଏ, ଜାଉ ପ୍ରସ୍ତୁତ କରେ ଓ ଧାନ ଗଛକୁ ପୂଜା କରି ଭଲ ଅମଳର ପ୍ରାର୍ଥନା କରେ।ବିଶ୍ୱାସ ଅଛି, ଅଙ୍କରାନ୍ତି ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଫସଲ ଉତ୍ତମ ହୁଏ। ତେଣୁ କୃଷକ ସ୍ନାନାଦି ସାରି, ବିଧିପୂର୍ବକ ପୂଜା କରି ସେ ଡାଳ କ୍ଷେତରେ ପୋତିଥାଏ।ପୁରୁଣା କୃଷି ବଚନ କୁହେ -“ଆଗେ ବୁଣୁ ପଛେ ବୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ।”ଅର୍ଥାତ୍, ଗର୍ଭଣା ବେଳକୁ ଆଗ ଓ ପଛ ସବୁ ବୁଣା ଧାନ ଗର୍ଭ ଧାରଣ କରି ଫୁଲ ଧରି ସାରିଥାଏ।ଚଳିତ ବର୍ଷ ବୋଲଗଡ଼ ଅଞ୍ଚଳରେ ଚାଷୀକୁଳ ଏହି ପର୍ବକୁ ହର୍ଷ ଉଲ୍ଲାସରେ ପାଳନ କରିଛନ୍ତି।

