ବୁଗୁଡ଼ା,୦୩।୧୧(ପୂର୍ଣ୍ଣଚନ୍ଦ୍ର ବାରିକ):ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ସହ ଗ୍ରାମାଞ୍ଚଳର ସମସ୍ୟା ଅନୁଧ୍ୟାନ କରିବାକୁ ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ତୁଲ୍ୟାଆମ, ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା ବୁଗୁଡ଼ା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳ ଗସ୍ତ କରି ବନ୍ୟା ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଆଶ୍ରୟସ୍ଥଳରେ ରହିଥିବା ସୁବିଧା ସୁଯୋଗ ଏବଂ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷାସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏହି ଗସ୍ତ ସମୟରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ସମ୍ପର୍କରେ ଅଧିକାରୀ ଅବଗତ ହୋଇଥିଲେ।ଏଥିସହ କାନସାରଳା, କିରିଆମ୍ବା, ନୂଆଁପଲ୍ଲୀ ଆଦି ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ।ବିଶେଷ କରି ବର୍ଷା ଓ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଏହି ଗସ୍ତ ଦ୍ୱାରା ଅଞ୍ଚଳବାସୀଙ୍କ ସମସ୍ୟା ପ୍ରଶାସନର ଦୃଷ୍ଟିକୁ ଆସିଥିବା ବେଳେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।

