ପାତ୍ରପୁର/ଚିକିଟି,୧।୮ (ନିଗମାନନ୍ଦ ପଣ୍ଡା ):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଏସ୍.ନୂଆଗାଁ ଗ୍ରାମରେ ଏକ ହନୁ ମାଙ୍କଡ଼ର ଆତଙ୍କ ଯୋଗୁଁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟର ବାତା ବରଣ ଦେଖିବାକୁ ମିଳିଛି । ମାଙ୍କଡ଼ଟି ଗ୍ରାମର ଜଣେ ଯୁବତୀଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ସ୍ଥାନୀୟ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରିବା ସହ ଟୀକା କରଣ କରାଯାଇଛି । ହନୁ ମାଙ୍କଡ଼ ଦ୍ୱାରା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଉ ଜଣେ ମାଙ୍କଡ଼ର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ, ହନୁ ମାଙ୍କଡ଼ଟି ଗତ କିଛି ଦିନ ହେଲା ଗ୍ରାମ ଓ ଆଖପାଖ ଅଞ୍ଚଳରେ ବୁଲୁଥିବା ବେଳେ ଲୋକଙ୍କୁ ଭୟଭୀତ କରୁଛି। ହନୁ ମାଙ୍କଡ଼ଟି ଏବେ ମଧ୍ୟ ଅଞ୍ଚଳରେ ବୁଲୁଥିବାରୁ ଛୋଟ ପିଲା, ବୃଦ୍ଧ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଗତକାଲି ବନ ବିଭାଗ ପକ୍ଷରୁ ସୁରଙ୍ଗୀ ବନପାଳ ଶ୍ରୀ କମଳାକାନ୍ତ ପାତ୍ରଙ୍କ ତତ୍ୱାବଧାନରେ ଏକ ଚାରି ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ହନୁ ମାଙ୍କଡ଼ଟିର ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ହନୁ ମାଙ୍କଡ଼କୁ ଧରିବା ପାଇଁ ଯୋଜନା କରି ଟିମ ଫେରିଥିବା ଜଣା ପଡ଼ିଛି।

