କନ୍ଧମାଳ,୩୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳର ଲୋକଙ୍କୁ ତ୍ୱରିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଫୁଲବାଣୀ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି। ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ ପକ୍ଷରୁ ପଠାଯାଇଥିବା ଏହି ଡାକ୍ତରୀ ଦଳ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ବନ୍ୟା ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବେ। ବିଶେଷ କରି ବନ୍ୟା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଲୋକଙ୍କୁ ଆବଶ୍ୟକୀୟ ଚିକିତ୍ସା ସହ ବିଶେଷଜ୍ଞ ପରାମର୍ଶ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ। ବନ୍ୟା ପରେ ଦୂଷିତ ଜଳ ଓ ପରିବେଶ ଯୋଗୁଁ ଜଳବାହିତ ରୋଗ ସମେତ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ପକ୍ଷରୁ ରୋଗ ନିରାକରଣ ଓ ପ୍ରତିରୋଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ। ଏଥିସହିତ ବ୍ୟକ୍ତିଗତ ସ୍ୱଚ୍ଛତା, ପାନୀୟ ଜଳର ବିଶୁଦ୍ଧତା, ପରିବେଶ ପରିଚ୍ଛନ୍ନତା ଏବଂ ସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ବନ୍ୟା ବିପର୍ଯ୍ୟୟ ପରେ କେବଳ ତୁରନ୍ତ ଚିକିତ୍ସା ନୁହେଁ, ବରଂ ଆଗାମୀ ଦିନରେ ସମ୍ଭାବ୍ୟ ରୋଗର ମୁକାବିଲା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ଏକ ବଡ଼ ଆହ୍ୱାନ। ଏଭଳି ସ୍ଥିତିରେ ମେଡିକାଲ କଲେଜ ପକ୍ଷରୁ ଡାକ୍ତରୀ ଦଳ ନିୟୋଜନକୁ ଏକ ସମୟୋଚିତ ପଦକ୍ଷେପ ଭାବେ ଦେଖାଯାଉଛି।

