ବାଲିଗୁଡ଼ା,୩୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେଶି ଗ୍ରାମରୁ। ପ୍ରବଳ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଥିବା ମାଟି, ପଥର ଓ ପଙ୍କରେ ଗୋଟିଏ ହସଖୁସିର ପରିବାର ମାଟିରେ ମିଶିଯାଇଛି। ଏହି ଭୂସ୍ଖଳନରେ ଏକାସାଙ୍ଗରେ ଜୀବନ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ମାତ୍ର ୭ ମାସର ଶିଶୁପୁତ୍ର। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ଡାଙ୍ଗେଶି ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି। ସୂଚନା ଅନୁସାରେ, ରାଇକିଆ ଥାନା ଅଧୀନ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ (୩୦), ପତ୍ନୀ ମାନସୀ ପ୍ରଧାନ (୨୭) ଓ ସେମାନଙ୍କର ୭ ମାସର ଶିଶୁପୁତ୍ର ଘରେ ରହୁଥିଲେ। ଗୁରୁବାର ସକାଳେ ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ଅଚ୍ୟୁତଙ୍କ ଘର ନିକଟସ୍ଥ ପାହାଡ଼ରୁ ହଠାତ୍ ବିପୁଳ ପରିମାଣର ମାଟି, ପଙ୍କ, ବାଲି ଓ ପାଣି ଧସି ଆସିଥିଲା। ଏହି ଭୟଙ୍କର ଜଳସ୍ରୋତ ଘରକୁ ସମ୍ପୂର୍ଣ୍ଣ ଭାବେ ମାଟି ତଳେ ପୋତି ଦେଇଥିଲା। ଘଟଣା ପରଠାରୁ ତିନିଜଣଙ୍କର କୌଣସି ପତ୍ତା ମିଳିନଥିଲା। ପ୍ରଥମେ ସେମାନେ ନିଖୋଜ ଥିବା ନେଇ ଗ୍ରାମବାସୀ ଆଶଙ୍କା କରିଥିଲେ। ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ପ୍ରବଳ ବର୍ଷା, ମାଟି ଅତଡ଼ା ଓ ଅବିରତ ଜଳସ୍ରୋତ ଉଦ୍ଧାର କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁବାର ସନ୍ଧ୍ୟାରେ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଓ ପଙ୍କ ତଳୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ପଟେ ବାତ୍ୟାର ପ୍ରକୋପ, ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ବିପଦ ଡାଙ୍ଗେଶି ଗ୍ରାମର ଏହି ପରିବାରକୁ ଛାରଖାର କରିଦେଇଛି। ଯେଉଁ ଘରେ ଗତକାଲି ପର୍ଯ୍ୟନ୍ତ ପରିବାରର ହସଖୁସି ଶୁଣିବାକୁ ମିଳୁଥିଲା, ଆଜି ସେଠାରେ କେବଳ ମାଟିର ଗଦା ଓ ନିରବତା। ବିଶେଷକରି କଅଁଳ ଶିଶୁର ମୃତ୍ୟୁ ଘଟଣାକୁ ଆହୁରି ମର୍ମସ୍ପର୍ଶୀ କରିଦେଇଛି। ଘଟଣା ସମ୍ପର୍କରେ ଖବର ପାଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତ ତିନିଜଣଙ୍କ ପାଇଁ ଜଣକ ପିଛା ୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କାର ସରକାରୀ କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ବାତ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ପରିବାରଗୁଡ଼ିକୁ ମଧ୍ୟ ଉଚିତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରକାଶ କରିଛନ୍ତି। ପ୍ରକୃତିର ଏହି ତାଣ୍ଡବ କେବଳ ତିନୋଟି ଜୀବନ ନେଇନାହିଁ, ବରଂ ଗୋଟିଏ ପରିବାରର ସମଗ୍ର ଭବିଷ୍ୟତକୁ ଶେଷ କରିଦେଇଛି। ଏହି ଅଘଟଣ ପରେ ପାହାଡ଼ ପାଦଦେଶରେ ବସବାସ କରୁଥିବା ଅନ୍ୟ ପରିବାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

