ବୁଗୁଡ଼ା,୦୧/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡିଶା ସିଭିଲ ସେବା (ଓସିଏସ) ପରୀକ୍ଷାରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ନୂଆସାହି ନିବାସୀ ଧ୍ରୁବଚରଣ ପାତ୍ର ଓ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପାତ୍ରଙ୍କ ସୁପୁତ୍ରୀ ସଂଘମିତ୍ରା ପାତ୍ର ୧୮୭ ରାଙ୍କରେ ରହି କୃତକାର୍ଯ୍ୟ ହୋଇ ବୁଗୁଡା ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ ତାଙ୍କୁ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତି କୃଷ୍ଣ ପାତ୍ର ଓ ଜୀଵନ ବୀମା ନିଗମ ବୁଗୁଡ଼ା ଶାଖା ଦ୍ବାରା ପୁଷ୍ପଗୁଚ୍ଛ, ମାନପତ୍ର, ଉପହାର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ଯପକ୍ଷରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସଂଘମିତ୍ରାଙ୍କ ବୁଗୁଡା ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଭଞ୍ଜନଗର ସିଭିଲ କୋର୍ଟରେ ଜୁନିୟର କ୍ଲର୍କ ଭାବେ କାର୍ଯ୍ୟରତ ସଂଘମିତ୍ରା ତାଙ୍କର ବାଲ୍ଯ ଶିକ୍ଷା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ଆରମ୍ଭ କରି ଷଷ୍ଠରୁ ଦ୍ବାଦଶ ଯାଏଁ ଗଞ୍ଜାମର ସୁରଙ୍ଗି ନବୋଦୟ ବିଦ୍ୟାଳୟ ଏବଂ ଶଶିଭୂଷଣ ମହିଳା ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ ଅନ୍ତେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ। ତେବେ ସେଥିରେ ତାଙ୍କର ସଫଳତା ହାସଲକୁ ନେଇ ତାଙ୍କୁ ବୁଗୁଡା ମିଡିଆ କ୍ଲବ ସମେତ ଅଞ୍ଚଳର ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣାଯାଇଛି।

